ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

0

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗଣମାଧ୍ୟମ ଆଗରେ ଏଣିକି କୌଣସି ସରକାରୀ ଚାକିରିଆ ମୁହଁ ଖୋଲି ପାରିବେ ନାହିଁ ବୋଲି ସରକାର ତାଗିଦ କରିଛନ୍ତି । ଏହି ତାଗିଦକୁ ଅଣଦେଖା କରି କୌଣସି ପ୍ରକାରର ଗଣମାଧ୍ୟମ ଆଗରେ ଯଦି ସରକାରୀ ଚାକିରିଆ ସେ ନିୟମିତ ହୋଇଥାନ୍ତୁ ଅବା ଠିକା, ମୁହଁ ଖୋଲିଲେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଗୃହବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏକ ପତ୍ର ସବୁ ବିଭାଗ ମୁଖ୍ୟଙ୍କୁ ପଠାଇଛନ୍ତି ।
ପତ୍ରରେ ଉଲ୍ଲେଖ ରହିଛି, ବହୁ ଠିକା ଓ ସରକାରୀ କର୍ମଚାରୀ ସେମାନଙ୍କ ସମସ୍ୟା ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଏଣିକି ବରଦାସ୍ତ କରାଯିବ ନାହିଁ। ସରକାରୀ ଚାକିରି ସର୍ତ୍ତାବଳୀ ନିୟମ-୧୯୫୯ ଅନୁଯାୟୀ ଏହାକୁ ବିଶୃଙ୍ଖଳା ଆଚରଣ ଦର୍ଶାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସରକାରଙ୍କ ଚାକିରି ନିୟମ-୨୩ର ମଧ୍ୟ ବିରୁଦ୍ଧାରଚରଣ ହେଉଛି। କେତେକ କ୍ଷେତ୍ରରେ ସରକାରୀ କର୍ମଚାରୀମାନେ ସେମାନଙ୍କ ଚାକିରି ନିୟମିତ, କ୍ୟାଡର ପୁନଃଗଠନ, ଦରମା ବୃଦ୍ଧି କରିବା, ନୂତନ ଚାକିରି ଭଳି କାର୍ୟ୍ୟରେ ବିଭିନ୍ନ ପ୍ରକାରେ ସରକାରୀ ଅଧିକାରୀଙ୍କ ଉପରେ ଚାପ ସୃ‌ଷ୍ଟି କରୁଥିବା‌ ସରକାରଙ୍କ ନଜରକୁ ଆସିଛି। ଏହା ସମ୍ପୂର୍ଣ୍ଣ ଭାବେ ନିୟମ ବିରୋଧୀ। ଯଦି କୌଣସି କର୍ମଚାରୀ ତାଙ୍କର ପ୍ରାପ୍ୟ ସରକାରଙ୍କଠାରୁ ପାଇବାକୁ ଅଛି ତେବେ ସେମାନେ ସରକାରଙ୍କ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁଯାୟୀ ଅଭିଯୋଗ କରିପାରିବେ ।
ଗୃହବିଭାଗ ଚଳିତବର୍ଷ ଜାନୁଆରୀରେ ଗଣମାଧ୍ୟମ ଉପରେ ରୋକ୍ ଲଗାଇଥିଲା। କୌଣସି ସରକାରୀ ଚାକିରିଆ ସରକାରଙ୍କ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିପାରିବେ ନାହିଁ ବୋଲି ଶ୍ରୀ ଚୋପ୍ରା ଦର୍ଶାଇଥିଲେ, ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା।