ଆସାମରେ ପ୍ରଳୟଙ୍କରୀ ବନ୍ୟା : ମୃତ୍ୟୁସଂଖ୍ୟା ୧୦୮ ପାର
ଅତ୍ୟଧିକ ବର୍ଷା ହେତୁ ଆସାମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ହୋଇଛି ।
(ଆସାମ) : ଅତ୍ୟଧିକ ବର୍ଷା ହେତୁ ଆସାମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ହୋଇଛି । ଫଳରେ ଏହି ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି । ଗତ ୨୪ ଘଣ୍ଟାରେ ୮ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଛି । ସେଥିରୁ ବନ୍ୟା ଯୋଗୁ ୯୧ ଓ ଭୂସ୍ଖଳନରେ ୧୭ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟର ମୋଟ ୩୬ ଜିଲ୍ଲା ମଧ୍ୟରୁ ୩୨ଟି ଜିଲ୍ଲାର ୪୯୪୧ଟି ଗ୍ରାମର ପ୍ରାୟ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ବ୍ରହ୍ମପୁତ୍ର ଓ ବାରାକ ସମେତ ଏହାର ଶାଖାନଦୀ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍, ଏସ୍ଡିଆରଏଫ, ଅଗ୍ନିଶମ କର୍ମଚାରୀ ଓ ପୁଲିସ ସମେତ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି । ବନ୍ୟା ଘେରରେ ଥିବା ପ୍ରାୟ ୩୦ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ୮୪୫ଟି ଆଶ୍ରୟ କେନ୍ଦ୍ର କରାଯାଇ ୨ଲକ୍ଷ ୭୧ ହଜାର ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ୧୦୨୫ଟି ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ।
ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ୭୪୪ଟି ଅସ୍ଥାୟୀ କ୍ୟାମ୍ପରେ ବନ୍ୟା ପୀଡିତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି।
ଏମିତିକି ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଡଙ୍ଗା ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଯାଉଛି। ପିଇବା ପାଣି, ବିଦ୍ୟୁତ୍ ଏବଂ ଯାତାୟତରେ ଘୋର ସମସ୍ୟା ଦେଖାଦେଇଛି। କେବଳ ବାରପେଟା ଜିଲ୍ଲାରେ ୧୨ ଲକ୍ଷ ୭୬ ହଜାର ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଦରାଙ୍ଗରେ ପ୍ରାୟ ୪ ଲକ୍ଷ, ନଗାଁଓରେ ୩ ଲକ୍ଷ ୬୪ ହଜାର ବନ୍ୟାରେ ଫସିଛନ୍ତି। ଅନ୍ୟପଟେ ସେନା, ଅର୍ଧସୈନିକ ବଳ, ଏନଡିଆରଏଫ, ଏସଡିଆରଏଫ୍ ଟିମ୍, ରାଜ୍ୟ ପୁଲିସ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଉଛନ୍ତି।