(ଚଣ୍ଡିଗଡ): କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶରେ ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚଣ୍ଡିଗଡ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ହିସାରରୁ ଡେରାଡୁନକୁ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ । ସେହିପରି ତୃତୀୟ ପର୍ଯ୍ୟାୟରେ ଆହୁରି ୨ଟି ରୁଟକୁ ଏହି ସୁବିଧା ଉପଲବ୍ଧ ହେବ । ତେବେ ଆଜି ଚଣ୍ଡିଗଡରୁ ବିମାନ ଉଡାଣ ଭରି ୪୫ ମିନିଟରେ ହିସାରରେ ପହଞ୍ଚିଛି । ଦେଶରେ ପ୍ରଥମଥର ପାଇଁ ଏକ ଛୋଟ ବିମାନକୁ ଏୟାର ଟ୍ୟାକ୍ସି ଭାବେ ବ୍ୟବହାର କରାଯାଇ ଏହି ସେବା ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର ଗଣମାଧ୍ୟମକୁ କହିଛନ୍ତି । ଏହି ସେବାର ଶୁଭାରମ୍ଭ ଅବସରରେ ସେ ରାଜ୍ୟ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୪ ସିଟ ବିଶିଷ୍ଟ ଏହି ଏୟାର ଟ୍ୟାକ୍ସିଗୁଡିକ ଘଣ୍ଟା ପ୍ରତି ୨୫୦ କିିମି ବେଗରେ ଗତି କରିବ । ଚଣ୍ଡିଗଡରୁ ହିସାର ଯିବା ପାଇଁ ଯାତ୍ରୀଙ୍କୁ ୧ ହଜାର ୭୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପରବର୍ତ୍ତୀ ସମୟରେ ସିମଲା, କୁଲୁ ଏବଂ ହରିଆଣାର ଅନ୍ୟ ରୁଟଗୁଡିକୁ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ।