ସାତ ଜନ୍ମର ସାଥି ହେଲେ ରଣବୀର-ଆଲିଆ, ବାସ୍ତୁରେ ପଡ଼ିଲା ହାତଗଣ୍ଠି

୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ଏହି କ୍ୟୁଟ କପଲ୍

0

ମୁମ୍ବାଇ: ସାତ ଜନ୍ମର ସାଥି ହୋଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ । ଏପ୍ରିଲ ୧୪ ଅର୍ଥାତ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡର ଏହି କ୍ୟୁଟ କପଲ୍ ।ଦୁହିଁଙ୍କ ବିବାହରେ ଖୁବ୍ ଖୁସି ହୋଇଛନ୍ତି ସିନେ ପ୍ରେମୀ । ଦୁହିଁଙ୍କୁ ବିବାହର ଖୁବ୍ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସ । ଖାଲି ଏତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ରଣବୀର କପୁର ନିଜ ଗାର୍ଲଫ୍ରେଣ୍ଡ ଆଲିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରେ ଥିବା ବାସ୍ତୁ ବିଲ୍ଡିଂରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ବଲିଉଡ୍‌ର ଏହି କପଲ୍‌ ବିଗତ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ତେବେ ବଲିଉଡର ଏହି ରୋମାଣ୍ଟିକ ଯୋଡ଼ି ପାରମ୍ପରିକ ପଞ୍ଜାବୀ ଷ୍ଟାଇଲରେ ବିବାହ କରିଛନ୍ତି। ଏଥିସହିତ ସାତ ଜନ୍ମର ସାଥି ହୋଇଯାଇଛନ୍ତି ଏହି ବଲିଉଡ୍ ଷ୍ଟାର୍ । ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି Mr & Mrs Kapoor ।

ତେବେ ଦୁହିଁଙ୍କ ବିବାହ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୩ ତାରିଖରେ ମେହେନ୍ଦି ସେରେମୋନି ଆୟୋଜିତ ହୋଇଥିଲା । ଆଉ ଏହି ମେହେନ୍ଦୀ ସେରେମୋନିରେ ରଣବୀରଙ୍କ ମା’ ନିତୁ କପୁର, ରିମା ଜୖେନ, ଭଉଣୀ ରିଦ୍ଧିମାଙ୍କ ସମେତ ଆଲିଆଙ୍କ ପିତା ମହେଶ ଭଟ୍ଟ, ଭଉଣୀ ପୂଜା, ଶାହିନ୍ ଏବଂ ଭାଇ ରାହୁଲ ସାମିଲ ଥିଲେ। ଏମାନଙ୍କ ବ୍ୟତୀତ କରୀନା କପୁର ଖାନ, କରିସ୍ମା କପୁର, ଅରମାନ ଜୖେନ, କରଣ ଜୋହର, ଅନୁଷ୍କା ରଂଜନ, ଶ୍ୱେତା ବଚ୍ଚନ, ନିଖିଲ ନନ୍ଦା ଏବଂ ଅୟାନ ମୁଖାର୍ଜୀଙ୍କ ସମେତ କିଛି ସେଲିବ୍ରେଟି ମଧ୍ୟ ଏହି ହାଇଫାଇ ବିବାହରେ ସାମିଲ ହୋଇଥିଲେ ।