ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ

0

ନବରଙ୍ଗପୁର/ଟୁକୁନା ଖୁରା : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ବଣ୍ଟନ ଦାୟିତ୍ୱରେ ଥିବା ଏସଏଚଜି ଗ୍ରୁପ ପକ୍ଷରୁ ସଠିକ ଭାବେ ଛତୁଆ ଯୋଗାଇ ପାରୁନଥିବା ଦେଖିବାକୁ ମିଳିଛି । ରାଇଘର ବ୍ଲକର ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିନରେ ୧୫ଟି ସେକ୍ଟର ରହିଥିବା ବେଳେ ମୋଟ ୩୦୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହି ବ୍ଲକଟି ୨୬ଗୋଟି ପଞ୍ଚାୟତ ବିଶିଷ୍ଟ ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଏହା ଏକ ବଡ଼ ବ୍ଲକ ଭାବେ ପରିଚିତ । ବର୍ତ୍ତମାନ ଏହି ବ୍ଲକରେ ଗୋଟାଏ ସ୍ୱଂ ସହାୟକ ଦଳ ଛତୁଆ ବଣ୍ଟନ ଦାୟିତ୍ୱ ନେଇଥିବା ଜଣାପଡ଼ିଛି । ରାଇଘର ଏକ ବଡ଼ ବ୍ଲକ ହୋଇଥିବାରୁ ଗତ ୨୦୧୩ ମସିହା ଠାରୁ ଏହି ବ୍ଲକ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ସ୍ୱଂୟ ସହାୟକ ଦଳ ଓ ଆଦର୍ଶ ସ୍ୱଂୟ ସହାୟକ ଦଳକୁ (ଏସଏଚଜି)କୁ ଛତୁଆ ବଣ୍ଟନ ପାଇଁ ଅନୁମତି ମିଳିଥିଲା । ସେବେଠୁ ଏହି ୨ଏସଏଚଜି ଗ୍ରୁପ ସାରା ବ୍ଲକରେ ଛତୁଆ ବଣ୍ଟନ କରିଆସୁଥିଲେ । ଗତ ୨୦୧୭ ମସିହାରେ ଆଦର୍ଶ ଏସଏଚଜି କ୍ରମାଗତ ଭାବେ ତିନିମାସ ଧରି ନିମ୍ନ ମାନର ଛତୁଆ ବଣ୍ଟନ କରୁଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହି ଗ୍ରୁପକୁ ବ୍ଲାକ୍ ଲିଷ୍ଟେଡ଼୍ କରି ଛତୁଆ ବଣ୍ଟନରୁ ନିବୃତ କରାଯାଇଥିଲା । ବହୁ ଚେଷ୍ଟା ପରେ ବି ତତ୍କାଳୀନ ଜିଲ୍ଲାପାଳ ଏହି ଏସଏଚଜିକୁ ଛତୁଆ ବଣ୍ଟନ ପାଇଁ ଅନୁମତି ଦେଇ ନଥିଲେ । ବର୍ତ୍ତମାନ କାର୍ୟ୍ୟରତ ନବରଙ୍ଗପୁର ଜିଲ୍ଲାପାଳ ଯୋଗ ଦେବାପରେ ଗତ ୨୦୧୯ ମସିହାରେ ପୁଣିଥରେ ଆଦର୍ଶ ଏସଏଚଜିକୁ ଛତୁଆ ବଣ୍ଟନ ପାଇଁ ଅନୁମତି ମିଳିଥିଲା । ୨୦୧୯, ଡିସେମ୍ବରରେ ହଠାତ ଲକ୍ଷ୍ମୀ ଏସଏଚଜିକୁ ବଣ୍ଟନ ଦାୟିତ୍ୱରୁ ନିବୃତ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ଏଭଳି ପଦକ୍ଷେପ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
ସୂଚନାଥାଉ କି, ୨୩ ତାରିଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଛତୁଆ ମିଶ୍ରଣ ହୋଇ ମାସର ଶେଷ ତାରିଖ ସୁଦ୍ଧା ପତ୍ୟେକ କେନ୍ଦ୍ରରେ ବଣ୍ଟନ କରାଯିବାର ନିୟମ ରହିଛି । କିନ୍ତୁ ସମଗ୍ର ବ୍ଲକରେ ଜଣେ ମାତ୍ର ଗୃପ ଦାଇତ୍ୱ ନେଇଥିବାରୁ ସେ ସଠିକ୍ ସମୟରେ କେନ୍ଦ୍ରରେ ଛତୁଆ ବଣ୍ଟନ କରିପାରୁନଥିବା ଅଭିଯୋଗ ହେଉଛି । ସମସ୍ତ କେନ୍ଦ୍ରରେ ଛତୁଆ ପହଞ୍ଚିବା ବେଳକୁ ମାସର ୧୫ ତାରିଖ ହଉଛି । ପଛୁଆ ତାରିଖ ପକାଇ ଅଙ୍ଗନବାଡି କର୍ମୀଙ୍କୁ ରସିଦ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ଛତୁଆ ବଣ୍ଟନ ତାରିଖ ପରେ ଛତୁଆ ପ୍ୟାକିଂଗ ତାରିଖ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତୁରୁଡିହୀର ହାଣ୍ଡାପାରା ଅଙ୍ଗନବାଡି କେନ୍ଦ୍ରରେ । ଏହି କେନ୍ଦ୍ରରେ ଚଳିତ ମାସ ୪ ତାରିଖ ଦିନ କେନ୍ଦ୍ରରେ ଛତୁଆ ଦେବା ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଛାଡ଼ି ଦିଆଯାଇଥିଲା । ସେଠାରେ ଦିଆଯାଇଥିବା ଛତୁଆରେ ପ୍ୟକିଂ ତାରିଖ ୨୯ /୩/୨୦୨୧ ଉଲ୍ଲେଖ ରହିଥିବା ବେଳେ ପ୍ରଦାନ କରାଯାଇଥିବା ରସିଦ ରେ ୨୭/୩ ୨୦୨୧ ତାରିଖ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ଏହି ୨ତାରିଖ ଦେଖିଲେ ଛତୁଆ ନିର୍ମାଣ ପୂର୍ବରୁ କିଭଳି ବଣ୍ଟନ ହେଉଛି ବୋଲି ସାଧାରଣରେ ଆଶ୍ଚର୍ୟ୍ୟ ସୃଷ୍ଟି ହେଉଛି । ଏଭଳି ଘଟଣା ଦେଖିଲେ ମନେହେଉଛି ସତେ ଯେମିତି ଛତୁଆ ବଣ୍ଟନରେ ଦୁର୍ନୀତିର ସବୁ ସୀମା ଅତିକ୍ରମ କରିସାରିଛି । ତୁରନ୍ତ ଛତୁଆ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀ ଆନୁରୋଧ କରିଛନ୍ତି ।