ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ଅଭିଯୋଗ

0

ଭୁବନେଶ୍ବର : ରାଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ କୁହାଯାଉଥିବା ରାଜଭବନକୁ ସୁରକ୍ଷା ଦେଇପାରୁନି କମିସନରେଟ୍‌ ପୁଲିସ। ରାଜଭବନ ପରିସରରୁ ଲକ୍ଷାଧିକ ଟଙ୍କାର ଚନ୍ଦନଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବରେ ଏତଲା ଦିଆଯିବା ପରେ କ୍ୟାପିଟାଲ୍‌ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ କାଲି ଦିଆଯାଇଥିବା ଏତଲାକୁ ୪୮ ଘଣ୍ଟା ପୂରିଥିଲେ ମଧ୍ୟ ପୁଲିସ ଚୋରଙ୍କ ପାଖରେ ପହଞ୍ଚି ପାରି ନାହିଁ।

କେବଳ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ବସିଯାଇଛି।ତେବେ ଆସନ୍ତା ୧୦ ତାରିଖରେ ରାଜଭବନରେ ରାଷ୍ଟ୍ରପତି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସନ୍ତା ୫ ତାରିଖରେ ଓଡ଼ିଶା ଫେରିବେ । ତାଙ୍କ ଅନୁପସ୍ଥିତିରେ ରାଜଭବନରେ ଥିବା ୨ଟି ଗଛ ଓ ସେହି ପରିସରରେ ରହୁଥିବା ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ପାଇଁ ଉଦ୍ଦିଷ୍ଟ ବାସଭବନ ପରିସରରୁ ବି ଗୋଟିଏ ଚନ୍ଦନ ଗଛ ଚୋରି ହେବା ରାଜଭବନର ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ରାଜଭବନ ପରିସରରେ ଏକ ହରିଣ ପାର୍କ ରହିଛି। ଶହ ଶହ ହରିଣ ଏଠାରେ ମୁକ୍ତ ବିଚରଣ କରୁଛନ୍ତି। ଏହି ପାର୍କକୁ ଲାଗି ଚନ୍ଦନ ଗଛ ସମେତ ବିଭିନ୍ନ କିସମର ଶହ ଶହ ଗଛ ରହିଛି। ବିନାନୁମତି‌ରେ ରାଜଭବନକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ।

ସୁଉଚ୍ଚ ପାଚେରି ରାଜଭବନକୁ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। ମୁଖ୍ୟ ଫାଟକରେ ୨୪ ଘଣ୍ଟିଆ‌ ସୁରକ୍ଷା କର୍ମୀ ନିୟୋଜିତ ହେବା ସହ ସ୍ବତନ୍ତ୍ର ପୁଲିସ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ବ ନେଇଛନ୍ତି। ଏ ସବୁ ଭିତରେ ଚନ୍ଦନ ଗଛ କାଟି ଗଣ୍ଡିକୁ ବାହାରକୁ ବୋହି ନେବା ଏକ ପ୍ରକାର ଅସମ୍ଭବ କାମ ହୋଥିଲେ ମଧ୍ୟ ଦୁର୍ବୃତ୍ତ ଏହି କାମରେ ସଫଳ ହୋଇଛି।ତେବେ ପ୍ରଶ୍ନ ଉଠୁଛି, ରାଜଭବନ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୩ଶହ ପୁଲିସ୍‌ କର୍ମୀ, ସିସିଟିଭି ରହିଥିବା ସତ୍ତ୍ବେ ଚନ୍ଦନ ଗଛ କାଟିକି ନେବା ଅସମ୍ଭବ। ତେବେ ସେଠାରୁ ଦୁର୍ବୃତ୍ତମାନେ କିଭଳି ଚୋରି କଲେ ତାହା ଅନୁସନ୍ଧାନ କରିବା ଉଚିତ୍‌ ।ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଚୋରକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛୁ । କେତେକ ସନ୍ଦିଗ୍ଧଙ୍କ ଉପରେ ମଧ୍ୟ ନଜର ରଖିଛୁ। ଖୁବ୍‌ଶୀଘ୍ର ଆମେ ଚୋରକୁ ଧରିବା ସହ କାଠ ଜବତ କରିବୁ ବୋଲି କହିଛି କ୍ୟାପିଟାଲ ଥାନା ପୁଲିସ ।