ଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହ

ଦୁଇ ଦନିଆ ଓଡି଼ଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ

0

କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସିଛନ୍ତି । ରବିବାର ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ସୋମବାର ସକାଳେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଏହାପରେ କଟକ ଯାଇ ନେତାଜୀ ସଂଗ୍ରହାଳୟରେ ପହଞ୍ଚିଥିଲେ । ଏଥିସହିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ରରେ ଯୋଗଦେଇଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଶାହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ପ୍ରମୁଖ ଯୋଗଦେଇଥିଲେ । ପ୍ରଜାତନ୍ତ୍ର ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଉକ୍ରଳବାସୀଙ୍କୁ ମୋର ପ୍ରଣାମ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ମୁଁ ଯେବେଯେବେ ଓଡି଼ଶା ଆସିଥାଏ, ସେତେବେଳେ ମହାପ୍ରଭୁଙ୍କୁ ପ୍ରଣାମ କରି ଓଡି଼ଶାରେ ପାଦ ରଖିଥାଏ ବୋଲି କହିଥିଲେ । ଅହମ୍ମଦାବାଦରେ ବି ଜଗନ୍ନାଥ ଅଛନ୍ତି, ଓଡିଶାରେ ପୁରୀରେ ବି ଜଗନ୍ନାଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥ ଦେଶର ସଂସ୍କୃତି ଓ ଐତିହ୍ୟକୁ ଯୋଡି ରଖିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅବସରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଲାଗି ପ୍ରଜାତନ୍ତ୍ର ଓ ଉକ୍ରଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କୁ ପ୍ରଣାମ କରୁଛି ବୋଲି କହିଥିଲେ । ଡଃ ମହତାବ ଖାଲି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇନଥିଲେ ସେ ପ୍ରଥମେ ଓଡି଼ଶାର ମୁଖ୍ୟମନ୍ତ୍ରୀ, ବମ୍ବେର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ, ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ଦେଶରେ ଜରୁରୀକାଳୀନ ପରିସ୍ଥିତି, ଏସଆରସି ଆନ୍ଦୋଳନ, ୧୯୬୪ ଛାତ୍ର ଆନ୍ଦୋଳନ, କଳାହାଣ୍ଡି ପ୍ରସଙ୍ଗ ପ୍ରମୁଖ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରଜାତନ୍ତ୍ର ଖବରକାଗଜର ପ୍ରମୁଖ ଭୂମିକା ରହିଥିଲା ।

ଓଡି଼ଶା ପ୍ରଦେଶର ଗରିବ ଘରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଦେଶର ମହାମହିମ ରାଷ୍ଟ୍ରପତି ହୋଇପାରିଛନ୍ତି । ତେଣୁ ଏଥିପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଦେଶରେ ସମ୍ବିଧାନ ପ୍ରଣୟନ ପରଠାରୁ କୌଣସି ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହୋଇନଥିଲେ । ଗରିବ ଘରୁ ଆସିଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ମହାମହିମ ହୋଇପାରିଛନ୍ତି ବୋଲି କହିଥିଲେ । ବର୍ତ୍ତମାନ ଓଡି଼ଶା ପାଇଁ ଅଚ୍ଛେ ଦିନ ଆସିଯାଇଛି । କାରଣ ଦ୍ରୌପଦୀ ମୁର୍ମୁ ଦେଶର ମହାମହିମ ରାଷ୍ଟ୍ରପତି, ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ, ବିଶେଶ୍ୱର ଟୁଡୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ପ୍ରମୁଖ ଓଡି଼ଶାରୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିଥିଲେ । ସ୍ୱାଧୀନତା ପରଠାରୁ ଓଡିଶାରୁ ପ୍ରତିନିଧି କେବେ ଏଭଳି ଦେଖିବାକୁ ମିଳିନଥିଲା ଯାହା ଆଜି ଦେଖିବାକୁ ମିଳୁଛି । ମୋଦିଙ୍କ ନେତୃତ୍ୱରେ ଓଡି଼ଶାର ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାରଙ୍କୁ ସାଥୀରେ ନେଇ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିକାଶ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ମୋଦିଙ୍କ ପ୍ରୟାସ ବୋଲି କହିଥିଲେ । ଓଡି଼ଶାରେ ବିକାଶର ଅପାର ସମ୍ଭାବନା ରହିଛି । ରାଜ୍ୟରେ ଖଣିଜ ସମ୍ପଦରେ ଭରପୂର ରହିଛି । ତେଣୁ ମୁଁ ଓଡି଼ଶାର ଉଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି କହିଥିଲେ ।

୧୯୪୭ରେ ସର୍ଦ୍ଦାର ପଟେଲ ଓଡି଼ଶାର ଦେଶୀୟ ରାଜ୍ୟ ମିଶ୍ରଣ ଲାଗି ହରେକୃଷ୍ଣ ମହତାବଙ୍କୁ ଦାୟିତ୍ୱ ଦେଇଥିଲେ । ଡଃ ମହତାବ ଓଡି଼ଶାର ମୁଖ୍ୟମନ୍ତ୍ରୀ, ବମ୍ବେର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଉକ୍ରଳ ପ୍ରଦେଶର କଳା ସଂସ୍କୃତି ଭାସ୍କଜ୍ୟ ଅତି ଉଚ୍ଚକୋଟୀର । ତେଣୁ ଏହି ଅବସରରେ ଡଃ ମହାତାବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ ପ୍ରଜାତନ୍ତ୍ରର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୯ ତାରିଖ ହେଉଛି ଅଗଷ୍ଟ କ୍ରାନ୍ତି ଦିବସ ତେଣୁ ଏହି ଅବସରରେ ମୁଁ ସମସ୍ତ ସ୍ୱାଧୀନତା ସଂଗ୍ରୀମୀଙ୍କୁ ପ୍ରଣାମ ଜଣାଉଛି । ପ୍ରଜାତନ୍ତ୍ର ୭୫ ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ପ୍ରଜାତନ୍ତ୍ରର କର୍ମକର୍ତାଙ୍କୁ ଅଭିନନ୍ଦନ ଜଣାଉଛି । ଗଣମାଧ୍ୟମ ଲୋକଙ୍କ ସ୍ୱର ହେଉ । ଗଣମାଧ୍ୟମ ବିନା ଭୟ ଓ ଅନୁଗ୍ରହଣରେ କର୍ତ୍ତବ୍ୟ ସମ୍ପାଦନ କରୁ । ଲୋକଙ୍କ ବିଶ୍ୱାସ ଓ ଭରସାରେ ଗଣମାଧ୍ୟମ ଚାଲିଛି । ରାଜନୀତିରୁ ଊର୍ଦ୍ଧରେ ରହି ଲୋକଙ୍କ ବାସ୍ତବିସ ସମସ୍ୟା ଉପରେ ଗୁରୁତ୍ୱ ଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଜାତନ୍ତ୍ର ଓଡିଆ ଜନଜୀବନର ଦର୍ପଣ ରହିଥିଲା । ପ୍ରଜାତନ୍ତ୍ର ଅନେକଙ୍କୁ ମୁଖ୍ୟମନ୍ତ୍ରୀ କରାଇ ପାରିଛି ଓ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ଆଗରେ ନତମସ୍ତକ କରାଇ ପାରିଛି ବୋଲି କହିଥିଲେ । କଟକ ସହର ଯାହାର ସାକ୍ଷୀ ରହିଛି । ପ୍ରଜାତନ୍ତ୍ର ଓଡ଼ିଆ ଜାତିର ଓଡି଼ଆ ଅଭିଭ୍ୟକ୍ତି ଗୋଟିଏ ନିଚ୍ଛକ କଥା ବୋଲି କହିଥିଲେ । ସ୍ୱାଧୀନତା ପର୍ବର ଲଢେଇ ଓ ସ୍ୱାଧୀନତା ପରର ଓଡି଼ଶାର ଦୃଷ୍ଟି ଡଃ ମହତାବ ଓ ପ୍ରଜାତନ୍ତ୍ରକୁ ଛାଡି କଳ୍ପନା କରାଯାଇ ନପାରେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ପ୍ରଜାତନ୍ତ୍ର କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ଶାହା ପୁଣିଥରେ ଭୁବନେଶ୍ୱର ଫେରିଥିଲେ ।