ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ମୟୂରଭଞ୍ଜ ପୁଲିସ ଏକ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଝାରପୋଖରିଆ ଥାନା ୪୯ ନମ୍ବର ଜାତୀୟ ରାଜପଥର କତରାଠାରେ ଥିବା ଟାୱାର ଢାବାରେ ଗତକାଲି ବିଳମ୍ବିତ ରାତିରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା ।ପୂର୍ବତନ ବନ୍ୟପ୍ରାଣୀ ତତ୍ୱବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଏସପି ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କୁ ଜଣାଇଥିଲେ । ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିକାରୀଙ୍କ ପାଇଁ ଏବେ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ବନ ବିଭାଗ ହାତ ଟେକି ଦେଇଛି । ଶିକାରୀମାନେ ନିର୍ବିଘ୍ନରେ ଅଭୟାରଣ୍ୟରୁ ହାତୀ, ବାଘ ଆଦି ବନ୍ୟଜନ୍ତୁ ଶିକାର କରୁଛନ୍ତି । ଦୁଇ ମାସରେ ୨ଟି ହାତୀ ଶିକାର ହୋଇଥିବା ବେଳେ ୨ଟି ବାଘ ଛାଲ ଜବତ ହେଲାଣି ।