ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଲୋକାର୍ପଣ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

0

(ଭୁବନେଶ୍ୱର): କ୍ଷୁଧାମୁକ୍ତ ଓଡ଼ିଶା ଗଠନ ଲାଗି ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଲୋକାର୍ପଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରଷ୍ଟ ମାଧ୍ୟମରେ ଭୁବନେଶ୍ୱରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଦେବାକୁ ନିଷ୍ପତ୍ତି ହୋଇଛି । କରୋନା ମହାମାରୀ ମଧ୍ୟରେ ଜୀବିକା ହରାଇଥିବା ବହୁ ଲୋକ ଏବେ ରାଜଧାନୀରେ ୨ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ସେଭଳି ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ନିମନ୍ତେ ଅପରାଜିତାଙ୍କ ଅନ୍ନପୂର୍ଣ୍ଣା ଟ୍ରଷ୍ଟ କାମ କରିବ । ବିଶେଷ କରି ଗରିବ ଓ ବସ୍ତିବାସିନ୍ଦା ରହୁଥିବା ଅଞ୍ଚଳ, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଖ ଅଞ୍ଚଳ ଓ ପ୍ରମୁଖ ବଜାରଗୁଡିକ ନିକଟରେ ରହୁଥିବା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଏହି ଟ୍ରଷ୍ଟ ଉଦ୍ୟମ କରିବ । ୨୦୨୦ ନଭେମ୍ବର ମାସରେ ଟ୍ରଷ୍ଟ ପକ୍ଷରୁ ପ୍ରାଥମିକ ସର୍ଭେ କରାଯାଇ ଗରିବ ଓ ଭୋକିଲା ଲୋକଙ୍କୁ ଚିହ୍ନଟ କରାଯାଇଛି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମରେ ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠିତ ହୋଇଛି ।