ଭୁବନେଶ୍ୱର: ୟୁଜିସି ପକ୍ଷରୁ କରାଯାଇଥିବା ମାର୍ଗଦର୍ଶିକା ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତିର ପୁନର୍ବିଚାର କରିବା ପାଇଁ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଷଙ୍କଙ୍କୁ ପତ୍ର ଲେଖିଛନ୍ତି। ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ +୩ ଓ ପିଜିର ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା କରିବା ପାଇଁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଥିଲା । ସଂପ୍ରତିକ ସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କର କ୍ଲାସ ରୁମ ପରୀକ୍ଷା କିମ୍ବା ଅନଲାଇନ ପରୀକ୍ଷା ସମ୍ଭବପର ନୁହେଁ ବୋଲି ଡ଼ ଅରୁଣ କୁମାର ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।
ୟୁଜିସି ପକ୍ଷରୁ କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ୨୯ .୦୪.୨୦୨୦ର ମାର୍ଗ ଦର୍ଶିକାର ବିରୁଦ୍ଧାଚରଣ କରୁଛି। ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ କୋଭିଡ -୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତି ନେଇପାରିବେ ଉଲ୍ଲେଖ କରିଥିଲେ। ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତି ମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀ ମାନଙ୍କ ହିତ ଦୃଷ୍ଟିରୁ +୩ ଓ ପିଜି ସେମିଷ୍ଟର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପୂର୍ବ ସେମିଷ୍ଟର ପରୀକ୍ଷା ଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା।