ନକଲି ମଦ କାରଖାନା ଉପରେ ବେଲଗୁଣ୍ଠା ପୋଲିସର ଚଢ଼ାଉ

0

ହିଞ୍ଜିଳି(ରଜନୀକାନ୍ତ ପାତ୍ର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ଏବେ ଲକ୍ ଡାଉନର ଦ୍ୱାରଦେଶରେ ପହଞ୍ଚିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଲକ୍ ଡାଉନ ସାଧାରଣ ବ୍ୟକ୍ତିଙ୍କୁ ବିଶେଷ ଭାବରେ ପ୍ରଭାବିତ ହେବା ଆଶଙ୍କା ଥିବା ବେଳେ ବିଭିନ୍ନ ପ୍ରକାର ଅସାଧୁ ବ୍ୟବସାୟୀଙ୍କ ପାଇଁ ପୁଷମାସ ପାଲଟୁଛି । ଯାହାକି ଗତବର୍ଷ ହୋଇଥିବା ଲକଡାଉନରେ ଦେଖିବା ପାଇଁ ମିଳିଥିଲା । ବିଶେଷ କରି ଚୋରା ଓ ନକଲି ମଦ ବ୍ୟବସାୟୀ ମାନେ ଚଢ଼ା ଦରରେ ମଦ ବ୍ୟବସାୟ କରି ଲୋକଙ୍କୁ ଲୁଟିବାରେ ସଫଳ ହୋଇଥାନ୍ତି । ଆଜି ମଧ୍ୟ ଏହିପରି ଏକ ନକଲି ମଦ କାରଖାନାରେ ବେଲଗୁଣ୍ଠା ପୋଲିସ ସଫଳତା ହାସଲ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଜିନ୍ଦ୍ରା ଗ୍ରାମର ବ୍ରାହ୍ମଣ ଦେବୀ ବଞ୍ଜର ଠାରେ ନକଲି ମଦ ତିଆରି ହେଉଥିବା ନେଇ ବେଲଗୁଣ୍ଠା ଥାନା ଅଫିସର ପ୍ରକାଶ କୁମାର ସାହୁ କୌଣସି ସୁତ୍ରରୁ ଖବର ପାଇଥିଲେ । ଆଜି ସକାଳ ୯ ଟା ବେଳେ ଶ୍ରୀ ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣରେ ନକଲି ମଦ ତିଆରି କଞ୍ଚାମାଲ,ନଗଦ ଟଙ୍କା,ବାଇକ୍ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୁଗୁଡା ଥାନା ମୋଟାବାଡି ଗ୍ରାମର ଚନ୍ଦ୍ରମଣି ପ୍ରଧାନ,ତାର୍ ସିଂ ଥାନା ବଦାଙ୍ଗୀ ଗ୍ରାମର ପ୍ରଦୀପ ସାହୁ,ପୋଲସରା ଓଡ଼ିଆ ସାହିର ମଣ୍ଟୁ ଓରଫ ଶ୍ରୀକାନ୍ତ ନାହାକ,ରାଜେନ୍ଦ୍ର ନାହାକ । ତେବେ ଆକାଶ ପ୍ରଧାନ ସମେତ ଆଉ ଦୁଇଜଣ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି ।ସେମାନଙ୍କ ନିକଟରୁ ହୋମିଓପ୍ୟାଥିକ ମେଡିସିନ୍ ଆର୍ଣିକା ମଣ୍ଟାନା ୨୦୦ର ୧୮୦ ବୋତଲ୍ ଭର୍ତ୍ତି ଓ ୬ ବୋତଲ ଖାଲି,ଏମ୍.ସି ନଂ ୧ ର ୧୮୦ଏମ୍.ଏଲ୍ ୩୯ଟି ଭର୍ତ୍ତି ବୋତଲ ଓ ୭ଟି ଖାଲି ବୋତଲ ସହ ୭୦୦ ପିସ୍ ଜରି ପ୍ୟାକେଟ୍, ୨୦ ଲିଟର ଜାର୍,ବୋତଲ୍ କେପ୍ ୧୦୦୦,ସିଲ୍ କେପ୍ ୧୦୦୦ ଓ ଲେବଲ୍ ୧୦୦୦ ପୋଲିସ ଜବତ କରିଛି । ଏଥି ସହିତ କଳାରଙ୍ଗର ଗୋଟିଏ ମାରୁତୀ ସୁଇଫ୍ଟଡିଜାଇର୍ କାର୍ , ଟିଭିଏସ୍ ଆପାଚୀ ବାଇକ, ଟିଭିଏସ୍ ଏକ୍ସେଲ୍ ସୁପର ମଧ୍ୟ ଜବତ କରାଯାଇଛି । ଆହୁରି ୧୨୦୭୦ ନଗଦ ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରିଥିବା ନେଇ ପୋଲିସ ସୁଚନା ଦେଇଛି ।ବେଲଗୁଣ୍ଠା ଥାନା କେସ୍ ନମ୍ବର ୭୮ରେ ଏକ ମାମଲା ରୁଜ୍ଜୁ କରିବା ସହ ଆଇପିସି ୨୭୨/୨୭୩/୩୪ ଓ ଅବକାରୀ ୫୨(ଏ) ଧାରା ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ବେଲଗୁଣ୍ଠା ଥାନାର ସେକଣ୍ଡ ଅଫିସର ପ୍ରକାଶ କୁମାର ସାହୁ ଜଣାଇଛନ୍ତି । କରୋନା ପରି ଜରୁରୀ କାଳୀନ ସମୟରେ ବେଲଗୁଣ୍ଠା ପୋଲିସ ଚୋରା ନକଲି ମଦ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ପ୍ରକାଶ କରିବା ସହ କୌଣସି ପରିସ୍ଥିତିରେ ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଘଟଣା ପରେ ଯଦି ଲକ୍ ଡାଉନ୍ ହୁଏ ତେବେ ବେଲଗୁଣ୍ଠା ଅଞ୍ଚଳରେ ଚୋରା ଓ ନକଲି କାରବାର ବୃଦ୍ଧି ପାଇବା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।