ବାଙ୍ଗାଲୁର: କୁହାଯାଏ ରୋଗୀଙ୍କ ପାଇଁ ଡାକ୍ତର ଭଗବାନଙ୍କ ରୂପ । ଯାହାକୁ ସତ ପ୍ରମାଣ କରିଦେଖାଇଛନ୍ତି ବାଙ୍ଗାଲୁରୁର ଜଣେ ଡାକ୍ତର । ଜୀବନ୍ତ ଭଗବାନଙ୍କ ରୂପ କୁହାଯାଉଥିବା ଡାକ୍ତର ଆଜି ଏମିତି କିଛି କରିଦେଖାଇଛନ୍ତି ଯାହାପରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏବଂ କହୁଛନ୍ତି ଡାକ୍ତର ହେବ ତ ଏମିତି । ତେବେ ଘଟଣାଟି ହେଉଛି ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅପରେଶନ ପାଇଁ ଯିବା ସମୟରେ ଟ୍ରାଫିକରେ ଫଶି ଯାଇଥିଲେ ମଣିପାଲ୍ ହସ୍ପିଟାଲ୍ର ଡାକ୍ତର ଗୋବିନ୍ଦ ନନ୍ଦକୁମାର । ଏବଂ ସେହି ଅପରେସନଟି ବହୁତ ଜରୁରୀ ଥିଲା । ସେଥିପାଇଁ କାଳେ ଡେରି ହୋଇଯିବ କାଳେ ଏପଟସେପଟ ହୋଇଯିବ । ଏହାକୁ ନଜରରେ ରଖି ଡାକ୍ତର ଜଣଙ୍କ ନିଜ ଗାଡିରୁ ଓହ୍ଲାଇ ପଡି ଦୌଡିବାକୁ ଲାଗିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଡାକ୍ତର ଗୋବିନ୍ଦ ନନ୍ଦକୁମାର କାର୍ ଛାଡ଼ି ୩ କିଲୋମିଟର୍ ବାଟ ଧାଇଁ ଯାଇଥିବା ଜଣାପଡିଛି । ଏହି ଘଟଣାଟି ଅଗଷ୍ଟ ୩୦ ତାରିଖର ।
ସେପଟେ ବାଙ୍ଗାଲୁରୁରେ କିଛିଦିନ ହେଲା ବନ୍ୟା ପରିସ୍ଥିତି ଦେଖାଦେଇଛି । ଯେଉଁଥିପାଇଁ ରାସ୍ତାଘଟ ସବୁ ଜାମ । ଫଳରେ ଟ୍ରାଫିକ ଭିତରୁ ବାହାରି ପାରୁ ନଥିଲେ ଡାକ୍ତର । ତେବେ ଟ୍ରାଫିକ ପାଖରୁ ହଷ୍ପିଟାର ଦୂରତା ୩ କିଲୋମିଟର । ଯାହାକୁ ଅତିକ୍ରମ କରି ଡାକ୍ତର ଜଣଙ୍କ ରୋଗୀର ଚିକିତ୍ସା କରିଛନ୍ତି । ତେବେ ଡାକ୍ତର ଗୋବିନ୍ଦ ନନ୍ଦକୁମାର ମଣିପାଲ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍ ସର୍ଜନ୍ । ବିଳମ୍ବ ହେଲେ ଅସ୍ତ୍ରୋପଚାର କରାଯିବାକୁ ଥିବା ମହିଳାଜଣଙ୍କର ଅସୁବିଧା ହେବ ବୋଲି ହୃଦୟଙ୍ଗମ କରି ଡାକ୍ତର ନନ୍ଦକୁମାର ଏପରି କରିଛନ୍ତି । ‘ଇନ୍ଷ୍ଟାଗ୍ରାମ୍’ ହ୍ୟାଣ୍ଡଲ୍ରେ ତାଙ୍କ ଦୌଡ଼ର ଛୋଟ ‘କ୍ଲିପ୍’ଟିଏ ପୋଷ୍ଟ୍ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ବାଙ୍ଗାଲୋର୍ରୁ ପ୍ରତିଦିନ ମୁଁ ଦକ୍ଷିଣପୂର୍ବ ବାଙ୍ଗାଲୋର୍ରେ ଥିବା ସରଜପୁରସ୍ଥିତ ମଣିପାଲ୍ ହସ୍ପିଟାଲ୍ସ୍କୁ ଯାତାୟାତ କରେ। ଅସ୍ତ୍ରୋପଚାର କରିବା ଲାଗି ଠିକ୍ ସମୟରେ ମୁଁ ଘରୁ ବାହାରିଥିଲି। ମୁଁ ଡାକ୍ତରଖାନାରେ ପହଞ୍ଚିବାକ୍ଷଣି ଅପରେଶନ କରିବାକୁ ଥିବାରୁ ମୋ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ। ଏତେ ବଡ ଟ୍ରାଫିକ୍ ଜାମ୍ ଦେଖି ଡ୍ରାଇଭର୍କୁ କାର୍ରେ ଛାଡ଼ି ମୁଁ ଆଉ କିଛି ନ ଭାବି ଡାକ୍ତରଖାନାକୁ ଧାଇଁଲି।
ପରେ ଡାକ୍ତର ନନ୍ଦକୁମାର ଡାକ୍ତରଖାନା ଅପରେସନ୍ ଥିଏଟର୍ରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତି କରିସାରିଥିବା ଟିମ୍ଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର କଲେ। ଦୀର୍ଘ ଦିନରୁ ପୀତକୋଷଜନିତ ଅସୁସ୍ଥତା ଭୋଗୁଥିବା ରୋଗୀଜଣକୁ ମଧ୍ୟ ଠିକ୍ ସମୟରେ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଗଲା। ତେବେ ଏଠି ଡାକ୍ତର ଜଣଙ୍କ ନିଜର ଦାୟିତ୍ୱ ସମ୍ପାଦାନ ପାଇଁ ନେଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ପ୍ରକାର ଉଦାହରଣ ସାଜିଛି ।