ଭୁବନେଶ୍ୱର: ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବେକରେ ରଶି ଲଗାଇ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ତେବେ ଦେହର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ତେଣୁ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।
ତେବେ ଅଭିନେତ୍ରୀ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି । ସେପଟେ ସ୍ୱାମୀର ପରିଚୟ ଦେଇ ଅଭିନେତ୍ରୀଙ୍କ ସହ ଭଡା ଘରେ ରହୁଥିବା ସନ୍ତୋଷ ପାତ୍ରଙ୍କ ଖୋଜ ଖବର ମିଳୁ ନଥିବା ବେଳେ ପରିବାର ଲୋକେ ରଶ୍ମିରେଖାଙ୍କ ମୃତ୍ୟୁ ପାଇଁ ସନ୍ତୋଷକୁ ଦାୟୀ କରୁଛନ୍ତି । ଅନ୍ୟପକ୍ଷେ ପୁଲିସ ସନ୍ତୋଷର ଫୋନ ଟ୍ରାକିଂ କରି ଧରିବାକୁ ଉଦ୍ୟମ କରୁଛି ।
ସୁଇସାଇଡ୍ ନୋଟରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନଥିବା ବେଳେ ତାଙ୍କ ବାପା କି ପରିବାର ଲୋକେ ଯଦି କାହାରିକୁ ଦାୟୀ କରନ୍ତି, ତେବେ ସେ କାହାରିକୁ ବି ଛାଡ଼ିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ ଏହି ସୁଇସାଇଡ ନୋଟରେ ଲେଖିଛନ୍ତି । ତେଣୁ ସୁଇସାଇଡ୍ ନୋଟ୍ରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିଙ୍କ ଆତ୍ମହତ୍ୟା କରିବା ସ୍ୱାଭାବିକ ପ୍ରକ୍ରିୟା ନୁହେଁ ବୋଲି ସନ୍ଦେହ କରାଯାଉଥିଲା । କିନ୍ତୁ ସେ ସବୁରେ ରଶ୍ମିଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛି ।ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ତେବେ କେଉଁ ପରିସ୍ଥିତିରେ ରଶ୍ମିରେଖା ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି।