ବାଇକ କାର ମୁହାଁମୁହିଁ ଧକ୍କା ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର

0

କାମାକ୍ଷାନଗର: ବାଇକ କାର ମୁହାଁ , ମୁହିଁ ଧକ୍କା, କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ । ବାଇକ୍‌କୁ ଧକ୍କା ଦେଇ ଏକ କାର୍ ରାସ୍ତା ଉପରେ ଓଲଟି ପଡ଼ିବାରୁ କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଦିଲ୍ଲୀପ କୁମାର ରାଉତ ଓ ବିଶ୍ଵନାଥ ନାୟକ। ଦିଲ୍ଲୀପଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗାଁରେ ହୋଇଥିବା ବେଳେ ବିଶ୍ଵନାଥଙ୍କ ଘର କଟକ ଜିଲ୍ଲା ଅଢେଇଗୁଣ୍ଡି ବାଗଢା ଗାଁରେ ବୋଲି ଜଣାଯାଇଛି। ଗୁରୁତର ୨ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାନୁସାରେ , ଦିଲ୍ଲୀପ କାର୍‌ରେ କାମାକ୍ଷାନଗରରୁ ଯାଜପୁର ନିଜ ଘରକୁ ଯାଉଥିଲେ। ଏହି ସମୟରେ ବିଶ୍ଵନାଥ ଭୁବନରୁ କଟକ ଅଭିମୁଖେ ଯାଉଥିବା ବେଳେ ତାଙ୍କ ବାଇକ୍‌ ସହ କାର୍‌ର ଧକ୍କା ହୋଇଥିଲା। ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଦିଲ୍ଲୀପ ଓ ବିଶ୍ୱନାଥ ଗୁରୁତର ହୋଇଥିଲେ। ସେମାନଙ୍କୁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।