ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଦଳୀୟ ନେତା

0

ଭୁବନେଶ୍ୱର/ ଶିଳାସ୍ମିତା ରାୟ: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ହଜାରରୁ ତଳକୁ ଖସୁନାହିଁ । କରୋନାର ଏହି ଉଗ୍ର ରୂପକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାରମ୍ବାର ଘରେ ସୁରକ୍ଷିତ ରହିବାକୁ ଅପିଲ କରୁଛନ୍ତି । ରାଜ୍ୟର ସମସ୍ତ ଧର୍ମୀୟ, ସାଧାରଣ, ସାଂସ୍କୃତିକ ଓ ରାଜନୈତିକ ସମାବେଶକୁ ବନ୍ଦ କରି ଦିଆଯାଇଛି । ରାଜ୍ୟ ସରକାର ସମସ୍ତଙ୍କ ଉପରେ ରୋକ ଲଗାଇ ଦେଇଛନ୍ତି । କିନ୍ତୁ ତାଙ୍କ ଦଳ ଚଳାଇଛି ମାରାଥନ ସମାବେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ତାଙ୍କରି ଦଳୀୟ ନେତା ମନ୍ତ୍ରୀ ତଥା ସଂଗଠନ ସଂକ୍ରମଣର ବାହକ ସାଜୁଛନ୍ତି ।


ରାଜ୍ୟ ତଥା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଉତ୍ତରଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ରାଜ୍ୟବାସୀଙ୍କ ଜୀବନ ରକ୍ଷା ପାଇଁ ବାରମ୍ବାର ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଘରେ ଘରେ ପହଞ୍ଚି ଲୋକଙ୍କୁ କୋଭିଡି ପ୍ରୋଟୋକଲ ପାଳନ ପୂର୍ବକ ସୁରକ୍ଷିତ ରହିବାକୁ ଦେଉଛନ୍ତି ପରାମର୍ଶ । କରୋନାର ଏହି ସଂକ୍ରମଣ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ସଟଡାଉନ, ରାଜ୍ୟବ୍ୟାପୀ ସପ୍ତାହାନ୍ତ ସଟଡାଉନ ଚାଲିଛିି । ଲୋକେ କରୋନା ଓ ସରକାରୀ କଡାକଟକଣାରେ ନୟାନ୍ତ ହେଲେଣି । କିଛି ମାସର ବ୍ୟବଧାନ ପରେ ପୁଣି ବହୁ ପରିବାରରେ ଚୁଲି ଜଳବା କଷ୍ଟସାଧ୍ୟ ହୋଇପଡିଲାଣି । ଖାଲି ସେତିକି ନୁହେଁ, ଯେଉଁଠାରେ ସାଧାରଣ ଜନତା କୋଭିଡ ନିୟମର ଉଲ୍ଲଙ୍ଘନ କରୁଛନ୍ତି ସେଠାରେ ସେମାନଙ୍କ ଉପରେ ନିଆଯାଉଛି କଠୋର କାର୍ଯ୍ୟାନୁଷ୍ଠାନ । ମାସ୍କ ପରିଧାନ ନ କଲେ ୨ହଜାର ଟଙ୍କା ଫାଇନ ଆଦାୟକୁ ମୁଖ୍ୟମନ୍ତ୍ରୀ ତାଗିଦ କରିବା ପରେ ଅମାନିଆଙ୍କ ଉପରେ ପୁଲିସର କଡା ନଜର । ଯେଉଁଠି ଟିକେ ଖିଲାଫ ହେଲା ସଙ୍ଗେସଙ୍ଗେ ପୁଲିସ ମାଡିବସି ଆଦାୟ କରୁଛି ଜରିମାନା ।


କିନ୍ତୁ ବିଜେଡିର ବିଧାୟକମାନେ ଖୁଲମଖୁଲା ଚଳାଇଛନ୍ତି ମନମାନୀ । କୋଭିଡ ପ୍ରୋଟୋକଲକୁ ବେଖାତିର କରି ଘନଘନ କର୍ମୀ ସମାବେଶ, ମିଶ୍ରଣପର୍ବ, ଶୋଭାଯାତ୍ରା ଚଳାଇଛନ୍ତି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତିକିନ୍ତୁ ରାଜ୍ୟର ଏହି ସଂକଟ କାଳରେ ଜଗନ୍ନାଥ ପ୍ରସାଦ ବ୍ଲକରେ କରିଛନ୍ତି ବିଜେଡି କର୍ମୀଙ୍କ ସମାବେଶ । କର୍ମୀମାନେ ମନ୍ତ୍ରୀଙ୍କୁ ଖୁସି କରିବାକୁ ତଥା ଦଳ ପ୍ରତି ନିଜ ନିଷ୍ଠା ପ୍ରତିପାଦନ କରିବାକୁ ସମାବେଶରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଭଦ୍ରକ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀର ତିଡିଡିରେ କରିଛନ୍ତି ମିଶ୍ରଣ ପର୍ବ । ବିଭିନ୍ନ ଦଳରୁ ଶହ ଶହ ନେତା ଓ କର୍ମକର୍ତ୍ତାଙ୍କୁ ନିଜ ଦଳରେ କରିଛନ୍ତି ସାମିଲ । ଏହି ସମାବେଶରେ ମଧ୍ୟ ରାୟଙ୍କ ସମର୍ଥକଙ୍କ ସହ ଅନ୍ୟ ଦଳର କର୍ମକର୍ତ୍ତାଙ୍କ ଖଚାଖଚ ଭିଡ ଜମିଥିଲା । ଠିକ ସମାନ ଭାବେ ଅତାବିରା ବିଧାୟିକା ତଥା ରାଜ୍ୟ ମହିଳା ସେଲର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଶହଶହ ଲୋକଙ୍କୁ ନେଇ ଶୋଭାଯାତ୍ରା ଆୟୋଜନ କରିଥିଲେ । ଖାଲି ସେତିକି ନୁହେଁ ପିପିଲିରେ ମଧ୍ୟ ରାଲି, ସମାବେଶକୁ ବିଜେଡି କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ବିଜେଡିର ୨୦ ଜଣ ଆଗଧାଡିର ବିଧାୟକ ତଥା ମନ୍ତ୍ରୀ ପିପିଲିରେ ପକାଇଛନ୍ତି ଡେରା । ସେଠାରେ ମଧ୍ୟ ହେଉଛି ମିଶ୍ରଣ ପର୍ବ ।


ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ଥାନୀୟ ପୁଲିସ ପ୍ରଶାସନ ଅବଗତ ଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା । ଲୋକଙ୍କ ପ୍ରବଳ ଗହଳି ମଧ୍ୟରେ କିଛି ମାସ୍କ ପିନ୍ଧିଥିବା ବେଳେ କିଛି ଏହାକୁ ନାମକୁ ମାତ୍ର ଥୋଡିରେ ଭିଡି ଥିଲେ । ସାମାଜିକ ଦୂରତାର ଚିହ୍ନ ବର୍ଣ୍ଣ ନ ଥିଲା । କିନ୍ତୁ ଏମାନଙ୍କ ବିରୋଧରେ ନିଆଯାଇନଥିଲା କୌଣସି କାର୍ଯ୍ୟାନୁଷ୍ଠାନ । ହେଲେ ପ୍ରଥମ ଲହର ସମୟରେ କରୋନାର ପ୍ରକୋପ ଏତେ ନ ଥିବା ସତ୍ତେ୍ୱ ଭୁବନେଶ୍ୱର ସାଂସଦଙ୍କ ଜନ୍ମଦିନ ଉତ୍ସବକୁ ନେଇ ତାଙ୍କ ଅଫିସ ଓ କାର୍ଯ୍ୟାଳୟକୁ ପ୍ରଶାସନ ସିଲ କରିଥିଲା । ତେବେ କଣ କେବଳ ବିରୋଧୀ ଦଳ ନେତାଙ୍କ ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହିଛି ଓ ବିଜେଡି ସମାବେଶରେ ହେଉନାହିଁ ସଂକ୍ରମଣ? ନା ମୁଖୀଆ ଖାଲି ଉପର ଦେଖାଣିଆ ଭାବେ ଘୋଷଣା କରି ରାଜ୍ୟବାସୀ ଓ ଅନ୍ୟ ସମସ୍ତ ଦଳକୁ କୋଭିଡ ପ୍ରୋଟୋକଲରେ ବାନ୍ଧି ରଖିବା ପରେ ନିରଙ୍କୁଶ ଭାବେ ନିଜ ପ୍ରଚାର ପ୍ରସାର କରିଚାଲିଛନ୍ତି?
ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହେଉ ବା ଅଜାଣତରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବିଜେଡି ନେତାମାନେ ରାଜ୍ୟବାସୀଙ୍କ ପ୍ରତି ନିଜ ନୈତିକ ମୂଲ୍ୟବୋଧ ଓ ଦାୟିତ୍ୱ ତୁଲାଇବା ଆବଶ୍ୟକ ।