ଓଡିଶାରେ ବିଜେପି ଚଳାଇଛି ବଙ୍ଗ ଫର୍ମୁଲା!

0

ଭୁବନେଶ୍ୱର/ ରାଜେଶ ସାହୁ: ଗୋଟିଏ ପୋଷ୍ଟକୁ ନେଇ ଓଡିଶା ରାଜନୀତିରେ ହଇଚଇ । ବିଜେପି ପ୍ରାର୍ଥୀ ଚନ୍ଦ୍ରାଣୀଙ୍କ ବିଜୟରେ ବିଜେଡି ସାଂସଦଙ୍କ ପୋଷ୍ଟ ଏବେ ଚର୍ଚ୍ଚାରେ । ସାଂସଦ ଏବେ ବୈଜୟନ୍ତଙ୍କ ପଥର ପଥିକ ବୋଲି ଚାଲିଛି ଚର୍ଚ୍ଚା । ବୁଝି ପାରିଲେ କି ଆମେ କାହା କଥା କହୁଛୁ? ଆମେ କହୁଛୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କଥା । ପଶ୍ଚିମ ବଙ୍ଗର ସାଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଛନ୍ତି ଦିନ ମଜୁରିଆଙ୍କ ପତ୍ନୀ ଚନ୍ଦ୍ରାଣୀ ଦେହୁରୀ । ଏହି ବିଜୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ପ୍ରଶଂସାର ସୁଅ । ସାଂସଦ ସାମନ୍ତ ମଧ୍ୟ ଟ୍ୱିଟରରେ ତାଙ୍କ ବିଜୟ ପାଇଁ କରିଛନ୍ତି ପୋଷ୍ଟ । ତାଙ୍କ ବିଜୟରେ ଅଚ୍ୟୁତ କହିଛନ୍ତି, ଆମ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଓ ଅତ୍ୟନ୍ତ ପ୍ରେରଣାଦାୟୀ ।

ହେଲେ ଏହାକୁ ନେଇ ରାଜନୈତିକ ବିଶେଷଜ୍ଞ ଭିନ୍ନ ମତ ଦେଉଛନ୍ତି । କୁହାଯାଉଛି, ପଶ୍ଚିମ ବଙ୍ଗରେ ମମତାଙ୍କୁ ନିରସ୍ତ୍ର କରିବାକୁ ବିଜେପି ଯେମିତି ଦଳର ବହୁ ନେତାଙ୍କୁ ନିଜ ସହ ସାମିଲ କରିଥିଲା, ସେଇ ଫର୍ମୁଲା ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମଧ୍ୟ ଆପଣଉଛି । ବିଜେଡିର ଅନେକ ସାଂସଦଙ୍କୁ ବିଜେପି ନିଜ ଆଡକୁ କରୁଛି । ତେଣୁ ବିଜେଡିରେ ଥାଇ ମଧ୍ୟ ବହୁ ନେତା ବିଜେପିର ନେତା ମନ୍ତ୍ରୀଙ୍କୁ ନିଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କରୁଛନ୍ତି ସାମିଲ । କିଛି ମଧ୍ୟ ବିଜେପିର ମୂଳ କୁହାଯାଉଥିବା ଆରଏସଏସ ସହ ସାମିଲ ହେଉଛନ୍ତି । ଏହାକୁ ଦେଖି ଦଳ ପରିବର୍ତ୍ତନର ପୂର୍ବାଭାସ ବୋଲି କହୁଛନ୍ତି ରାଜନୈତିକ ବିଶେଷଜ୍ଞ ।

ଅବଶ୍ୟ ବିଶେଷଜ୍ଞଙ୍କ ମତକୁ ଅର୍ଥହୀନ କୁହାଯାଇ ନ ପାରେ । କାରଣ ଆଗରୁ ଆମେ ଦେଖିଛୁ ବିଜେପି ମୁହଁ ହେବା ପୂର୍ବରୁ କିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ବିଜେପିର କାର୍ଯ୍ୟକ୍ରମ, ବିଜେପି ନୀତି ଆଦର୍ଶକୁ ପ୍ରଶଂସା କରୁଥିଲେ । ଏହା ବିଜେଡିକୁ ଅସହ୍ୟ ହୋଇଥିଲା ଓ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହେଲେ । ସେହିପରି ଅବସ୍ଥା ତଥାଗତ ଶତପଥିଙ୍କର ହୋଇଥିଲା । ଯେତେବେଳେ ତଥାଗତ ତାଙ୍କ ସମ୍ବାଦ ପତ୍ରରେ ବିଜେଡିର ଦୋଷ ଦୁର୍ବଳତାକୁ ଉଠାଇଲେ ସେତେବେଳେ ସେ ହୋଇଗଲେ ଚକ୍ଷୁଶୂଳ । ସ୍ଥିତି ଏମିତି ହୋଇଛି କି ସେ ଦଳରେ ଥାଇ ବି ନଥିବା ଭଳି ।

ଅନ୍ୟପଟେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ପୂର୍ବରୁ ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଦେଇଥିଲେ। ପରେ ନିଜ ଖବରକାଗଜର ସଂସ୍କରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଇବା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ । ଏହାକୁ ନେଇ ଖପ୍ପା ହୋଇଗଲେ ମୁଖ୍ୟମନ୍ତ୍ରୀ ବୋଲି ଚର୍ଚ୍ଚା ହେଲା । ସୋସିଆଲ ମିଡିଆରେ ବିଜେଡି ନେତାମାନେ ତାଙ୍କୁ କଲେ ଉପହାସ । ଏହି ଉପହାସରେ ଭର୍ତ୍ତୃହରି ଚୁପ ରହିଥିବା ବେଳେ କିନ୍ତୁ ବିଜେପି ଖୋଲାଖୋଲି ଆସିଲା ସାମ୍ନାକୁ ଆସିଥିଲା ତାଙ୍କ ସମର୍ଥନରେ ।

ପୁରୀର ସାଂସଦ ପିନାକୀ ମିଶ୍ର ମଧ୍ୟ ଯେମିତି ସମାନ ବାଟରେ । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ମିଳୁନି ଦେଖା । କୁହାଯାଉଛି ଜାଣିଶୁଣି ସେ ବିଜେଡି କାର୍ଯ୍ୟକ୍ରମକୁ ଏଡାଇ ଦେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ପୁରୀ ସାଂସଦଙ୍କ ମନ ଆଉ ବିଜେଡିରେ ଲାଗୁ ନାହିଁ ବୋଲି ରାଜନୈତିକ ଗଳିରେ ଚାଲିଛି ଚର୍ଚ୍ଚା । ଯଦି ଏହି ପୂର୍ବାନୁମାନ ସତ ହୁଏ ତେବେ ବିଜେଡିରୁ ଆଗାମୀ ଦିନରେ ଦଳର ବହୁ ପୁରୁଖା ନେତା ଶଙ୍ଖ ଛାଡି ପଦ୍ମ ଧରିବେ, ଏହା ସୁନିଶ୍ଚିତ । ତେବେ ଦେଖିବାକୁ ରହିଲା ବିଜେପି ତାର ବଙ୍ଗ ଫର୍ମୁଲା ଓଡିଶାରେ ଆପ୍ଲାଏ କରିବା ପରେ ନବୀନଙ୍କୁ ଆଗାମୀ ଦିନରେ ଗାଦୀଚ୍ୟୁତ କରିବାରେ ସକ୍ଷମ ହେଉଛି ନା ପଶ୍ଚିମ ବଙ୍ଗରେ ଦିଦିଙ୍କ ଆଗରେ ଚିତପଟାଙ୍ଗ ଦେବା ପରି ଏଠାରେ ବି… ।