ଭୁବନେଶ୍ୱର : ସିଏଜି ରିପୋର୍ଟରୁ ଧରାପଡିଥିବା ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଜଙ୍ଗଲ, ଜଳସେଚନ ଓ ପୂର୍ତ୍ତ ବିଭାଗକୁ ନେଇ ରିପୋର୍ଟ ଆସିଛି । ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କଲେ ମଧ୍ୟ ଯେଉଁ ଅନିୟମିତତା ହୋଇଛି ତାହା ଅନ୍ୟ ରାଜ୍ୟରେ କେବେ ହୋଇନଥିବ । ଓଡିଶାରେ ମଧ୍ୟ ପ୍ରଥମ ଥର ହୋଇଛି । ପୂର୍ବରୁ ସିଏଜି ଅନ୍ତରୀଣ ରିପୋର୍ଟ ଦେଇଥିବା ସତ୍ୱେ ସେଥିରେ ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ସୁଧାରି ନାହାନ୍ତି । ବାରମ୍ବାର ଅଭିଯୋଗ ହୋଇଆସୁଛି । ରାଜ୍ୟ ସରକାର ବାରମ୍ବାର ସେହି ଭୁଲ କରୁଛନ୍ତି ।
୧୯୮୪ ମସିହାରୁ ଜୁନ ୨୦୨୦ ସୁଦ୍ଧା ୩୪୭୩ଟି ରିପୋର୍ଟ ସେଟେଲମେଣ୍ଟ ପାଇଁ ପେଣ୍ଡିଂ ଅଛି । ୯୫ ପ୍ରତିଶତ ରିପୋର୍ଟ ଏହି ୨୨ ବର୍ଷ ଭିତରେ ପେଣ୍ଡିଂ ରହିଛି । ୧୦ ବର୍ଷରୁ ଅଧିକ ୧୩୨୮ଟି ରିପୋର୍ଟ ପେଣ୍ଡିଂ ଅଛି । ୧୨୨୨ଟି ରିପୋର୍ଟ ଉପରେ ରାଜ୍ୟ ସରକାର କୌଣସି ଉତ୍ତର ଦେଇନାହାନ୍ତି । ନିୟମକୁ ଭାଙ୍ଗିବା ଓ ତୁହାକୁ ତୁହା ଭୁଲ କରିବା ଯୋଗୁଁ ଶାସନ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖାଯାଉଛି । ଅଡିଟ ନକରି ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୧୬୧୦ କୋଟି ଟଙ୍କାର ଗୁରୁତର ଅନିୟମିତତା ହୋଇଛି । ଜଙ୍ଗଲ ବିଭାଗରେ କେନ୍ଦ୍ର ସରକାରଙ୍କ କାମ୍ପା ଫଣ୍ଡ ନରେନ୍ଦ୍ର ମୋଦୀଙ୍କ ସରକାରରେ ସବୁଠାରୁ ଅଧିକ ଅର୍ଥ ଓଡିଶାକୁ ଆସିଥିଲା ।
କାମ୍ପା ଫଣ୍ଡକୁ କେବେ ଡ଼ାଇଭର୍ଟ କରିବାର ନିୟମ ନାହିଁ । କିନ୍ତୁ କାମ୍ପା ଫଣ୍ଡରୁ ୨୨୫.୮୪ କୋଟି ଟଙ୍କା ରାଜ୍ୟ ସରକାର ଡ଼ାଇଭର୍ଟ କରିଛନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ଉପରେ ରାଜ୍ୟ ସରକାର ତୁରନ୍ତ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି । ଯେଉଁ କ୍ଷତି ହୋଇଛି, ତାକୁ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ । ରାଜ୍ୟ ସରକାର ୧୦ଟି ବିଭାଗର ବିନିଯୋଗ ପ୍ରମାଣ ପତ୍ର ଦେଉନାହାନ୍ତି । ୩୬ ହାଜର ୧୯୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ରାଜ୍ୟ ସରକାର ଏବେ ଯାଏଁ କେନ୍ଦ୍ର ସରକାର ଦେଇନାହାନ୍ତି । ଏହା ରାଜ୍ୟ ସରକାରଙ୍କର ଦୋମୁହାଁ ନୀତି ।
ୟୁସି ଦେଉନାହାନ୍ତି ହେଲେ କେନ୍ଦ୍ର ସରକାର ଓଡିଶା ପ୍ରତି ଅବହେଳା କରୁଛି ବୋଲି କହୁଛନ୍ତି । ଯେଉଁ ଅଫିସର ଏହି ନିଷ୍ପତ୍ତି ନେଇଛନ୍ତି ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କରାଯାଉ ଓ ଟଙ୍କା ଆଦାୟ କରିବାକୁ ଦାବି କରିଛି ବିଜେପି । ଏହି ପ୍ରସଙ୍ଗ ବିଜେପି ସଂସଦରେ ଉଠାଇବ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇବ ଦଳ । ରୟାଗଡ଼ ଜିଲ୍ଲାରେ ବକସାଇଟ ଦର ଧର୍ୟ୍ୟ କରିନଥିବାରୁ ୧୬ ହଜାର କୋଟି କ୍ଷତି ହୋଇଛି ।