ବନାଞ୍ଚଳରେ ପୁଣି ଘୁରି ବୁଲୁଛି ଅସୁସ୍ଥ ଦନ୍ତା

ଲଗାତାର ଭାବେ ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି ।

0

(କେଉଁଝର) : ଲଗାତାର ଭାବେ ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ରାଜ୍ୟରେ ନେଇ ହାତୀ ସୁରକ୍ଷିତ କି ନୁହେଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି କ୍ରମରେ କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପିଢ଼ (ବିଜେପି) ବନାଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ଥିବା ଜଣାପଡ଼ିଛି । ହାତୀଟି ଗୋଠରୁ ଅଲଗା ହୋଇ ଘଞ୍ଚ ଜଙ୍ଗଲରେ ଛୋଟେଇ ଛୋଟେଇ ଚାଲୁଥିବା କରୁଥିବାରୁ ବନବିଭାଗର ଚିନ୍ତା ବଢ଼ି ଯାଇଛି ।

ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ହାତୀଟି କେଉଁ କାରଣରୁ ଛୋଟେଇ ଛୋଟେଇ ଚାଲୁଛି ତାହା ଅନୁଧ୍ୟାନ କରାଯିବା ପରେ ବନ କର୍ମଚାରୀମାନେ ଡିଏଫ୍‌ଓଙ୍କୁ ସୂଚନା ଦେଇଥିଲେ ।

ସୂଚନାନୁଯାୟୀ , ବିଜେପି ବନାଞ୍ଚଳର ଲୁଣଘର ନିକଟସ୍ଥ ଖୁଣ୍ଟାପଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଗୋଠ ଛାଡ଼ି ଚଳପ୍ରଚଳ କରୁଥିବା ବନବିଭାଗ ନଜରକୁ ଆସିଥିଲା । ପ୍ରାୟ ୩ ଦିନ ହେବ ହାତୀଟି ଲୁଣଘର ଓ ଆଖପାଖ ଘଞ୍ଚ ଜଙ୍ଗଲରେ ଚଳପ୍ରଚଳ କରୁଥିବାରୁ ବନ କର୍ମଚାରୀମାନେ ହାତୀର ଗତିବିଧି ଅନୁଧ୍ୟାନ ପାଇଁ ଉକ୍ତ ସ୍ଥାନରେ ପହରା ଦେଉଛନ୍ତି । ଦନ୍ତାହାତୀଟି କିଛି ସମୟ ଚାଲିବା ପରେ ବିଶ୍ରାମ ନେବା ପରେ ପୁଣି ଚଲାବୁଲା କରୁଥିବା ବନବିଭାଗ କହିଛି । ହାତୀଟି ସ୍ୱାଭାବିକ ଭାବେ ଖାଦ୍ୟ ଖାଉଥିବାରୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପାଇଁ ଏଭଳି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।