ଖୋର୍ଦ୍ଧା :ଅପରାଜିତାଙ୍କ ବିରୋଧର ସଙ୍ଗୀନ ଅଭିଯୋଗ ଆଣିଲେ ଦଳୀୟ କର୍ମକର୍ତ୍ତା । ଏ ନେଇ କେନ୍ଦ୍ରୀୟ ନେତୃତ୍ୟବୃନ୍ଦ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି । ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱରରୁ ସାଂସଦ ଅପରାଜିତା ଷଡଙ୍ଘୀଙ୍କ ବିରୋଧରେ ମୁଣ୍ଡ ଟେକିଛନ୍ତି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ବିଜେପି କର୍ମକର୍ତ୍ତା । ଦଳରେ ବଢୁଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳର ପ୍ରମୁଖ କାରଣ ଭାବେ ଅପରାଜିତାଙ୍କୁ ଦାୟି କରି ଅଭିଯୋଗ ପତ୍ରରେ ଉଲେଖ୍ୟ କରିଛନ୍ତି ।
ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ.ପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରମୁଖ କେନ୍ଦ୍ରୀୟ ନେତାଙ୍କ ପାଖକୁ ଫ୍ୟାକ୍ସ ଓ ସ୍ପିଡ ପୋଷ୍ଟ ମାଧ୍ୟମରେ ୪ ପୃଷ୍ଠା ସମ୍ବଳିତ ଏକ ଅଭିଯୋଗ ପତ୍ର ପଠାଇଛନ୍ତି । ରାଜ୍ୟରେ ଦିନକୁ ଦିନ ସଂଗଠନ ର୍ଦୁବଳ ହେବାରେ ଲାଗିଛି ଏବଂ ତୃଣମୂଳ ସ୍ତରର କର୍ମୀମାନଙ୍କ ମନୋବଳ ବି ଧିରେ ଧିରେ ଭାଙ୍ଗିଗଲାଣି । ଏଥିପାଇଁ ବେଗୁନିଆରେ ବିଜେପି ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି । ଯଦି ଏହା ଉପରେ ଅଙ୍କୁଶ ନ ଲଗା ଯାଏ ତେବେ ଏହା ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ସ୍ପଷ୍ଟ କରିଛି ବେଗୁନିଆ ବିଜେପି । ଏହି ଅଭିଯୋଗ ଆଧାରରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବୋଲଗଡ ବିଜେପି କର୍ମକର୍ତ୍ତା ।