ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଦୁଇ ବର୍ଷ ବାକିଥିବାବେଳେ ଏବେଠାରୁ କେନ୍ଦ୍ରୀୟ ବିଜେପି ଓଡି଼ଶା ଦଖଲ ଲାହି ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଗତ ଦୁଇ ଦିନ ମଧ୍ୟରେ ୭ କେନ୍ଦ୍ରମନ୍ତ୍ରୀ ଓଡି଼ଶା ଗସ୍ତରେ ଆସି ସାରିଲେଣି। ନିର୍ବାଚନ ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଜୋରଦାର କରାଯାଇଛି। ବୁଥସ୍ତରରେ କିଭଳି ସଂଗଠନକୁ ସଜଡାଯିବ ସେଥିପାଇଁ ଦଳ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ଚୌବେ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶେଶ୍ୱର ଟୁଡୁ ପ୍ରମୁଖ ଓଡିଶା ଗସ୍ତରେ ଆସିଥିଲେ। ବର୍ତ୍ତମାନ ଭୁପେନ୍ଦ୍ର ଯାଦବ ଓ ନିଶିଥ ପରମାଣିକ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ଚୌବେ ଭୁବନେଶ୍ୱରର ସାଙ୍ଗଠିକ ଜିଲ୍ଲା ଗସ୍ତ କରିବେ। ସେହିପରି ଅର୍ଜୁନ ମୁଣ୍ଡା ଯାଜପୁର, ନିତ୍ୟାନନ୍ଦ ରାୟ କଟକ, ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ, ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର, ନିଶିଥ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଦଳର ସାଙ୍ଗଠିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ।
ଓଡିଶାରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା କେତେ ସଫଳ ହୋଇଛି ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀମାନେ ସମୀକ୍ଷା କରିବେ। କେନ୍ଦ୍ରୀୟ ଯୋଜନା କିପରି ଲୋକଙ୍କ ପାଖରେ ଅଧିକୁ ଅଧିକ ପହଞ୍ଚି ପାରିବ ସେନେଇ କେନ୍ଦ୍ରମନ୍ତ୍ରୀମାନେ ଦଳୀୟ କର୍ମକର୍ତ୍ତାଙ୍କୁ ବୁଝାଇବେ। ଆସନ୍ତା ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦୁଇ ଦିନିଆ ଓଡି଼ଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନର ସଫଳତା ପରେ ବିଜେପି ପକ୍ଷରୁ ମିଶନ ୧୨୦ ପ୍ଲସର ନାରା ଦିଆଯାଇଥିଲା। ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ଦଳ ୧୪୭ ଆସନରୁ ୨୧ଟି ହାତେଇବାରେ ସଫଳ ହୋଇଥିଲା। ୨୧ ଲୋକସଭା ଆସନରୁ ୮ଟି ଲୋକସଭା ଆସନ ହାତେଇଥିଲା।
ତେବେ ୨୦୧୯ ନିର୍ବାଚନ ପରେ ଦଳ ପକ୍ଷରୁ ଆଉ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯାଇନଥିଲା। ଫଳରେ ବିଜେପି ବିଜେଡି ସହିତ ଅଘୋଷିତ ମେଣ୍ଟ କରିଥିବାର କଂଗ୍ରେସ ଅଭିଯୋଗ କରିଥିଲା। ଏହାଛଡା ବିଜେଡି ମଧ୍ୟ କେନ୍ଦ୍ର ସରକାରଙ୍କ ସମସ୍ତ ବିଲକୁ ସଂସଦର ଉଭୟ ସଦନରେ ସମର୍ଥନ ଦେଇଆସୁଥିଲା। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନର ସଫଳତା ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ମିଳିନଥିଲା। ତେବେ ୨୦୨୪ ନିର୍ବାଚନକୁ ୨ ବର୍ଷ ବାକିଥିବାବେଳେ ବିଜେପି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି।