(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)ରାଜଧାନୀରେ ଆଜିଠାରୁ ପୁଣି ସଟ୍ଡାଉନ୍ ହୋଇଯିବ ବୋଲି ପୂର୍ବଦିନ ସନ୍ଧ୍ୟାଠାରୁ ଜୋରଦାର ଗୁଜବ ହୋଇଥିଲା। ଫଳରେ ରାଜଧାନୀରେ ସବୁ ହାଟ, ବଜାରରେ ଅସମ୍ଭାଳ ଭିଡ଼ ହୋଇଯାଇଥିଲା। ଏପରିକି ଜନପଥରେ ଲୋକ ଗାଡ଼ି ଚଳାଇବା କଷ୍ଟକର ହୋଇପଡ଼ିଥିଲା। ୟୁନିଟ୍-୧, ୟୁନିଟ-୨, ବାପୁଜୀନଗରରେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ସଟ୍ଡାଉନ୍ ହୋଇଗଲେ, ଦୋକାନ ବଜାର ବନ୍ଦ ହୋଇଯିବାର ଭୟ ଲୋକଙ୍କୁ ଘାରିଥିବାରୁ ଲୋକମାନେ ବସ୍ତାରେ ସଉଦା, ପରିବା ବୋଝେଇ କରି ନେଇଯାଉଥିବା ଦେଖିବାକୁ ମିଳିଥିଲା। ଆଜି ଦିନତମାମ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା, କେତେବେଳେ ସଟ୍ଡାଉନ୍ ଘୋଷଣା ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲି ଥିବାରୁ ଲୋକଙ୍କ ଆଶଙ୍କା ବି ସ୍ବାଭାବିକ ଥିଲା। ତେଣୁ ସମସ୍ତେ ସଟ୍ଡାଉନ୍ ସମୟରେ ଯେପରି ହଇରାଣ ନ ହେବେ, ସେ ବ୍ୟବସ୍ଥା କରିବାରେ ଆଜି ଦିନତମାମ ଲାଗି ପଡ଼ିଥିଲେ। i ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଅପରାହ୍ଣରେ କହିଥିଲେ ଯେ ଏବେ ରାଜଧାନୀରେ ପୂରା ସଟ୍ଡାଉନ୍ ହେବାର ନାହିଁ। ଯେମିତି ସପ୍ତାହକୁ ଦୁଇଦିନ ହେଉଛି, ତାହା ହେବ। କମିସନର କହିଥିଲେ ଯେ ମୋ ନଜରରେ ରାଜଧାନୀରେ ବର୍ତ୍ତମାନ ଯାହା ସ୍ଥିତି ଅଛି, ସେଥିରେ ପୂରା ସଟ୍ଡାଉନ୍ ଆବଶ୍ୟକ ନାହିଁ।