ହୋମ ନିଆଁ ବଦଳରେ ଜଳିଲା ଯୁଇର ନିଆଁ

0

ଭଦ୍ରକ(ରିପୋର୍ଟର୍ସ ଟୁଡେ): ଆଜି ଥିଲା ବାହାଘର । ବର ସାଜି ବେଦୀକୁ ଚଢିଥାନ୍ତା ପୁଅ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆଉ ବିଧିର ବିଧାନ କିଛି ଅଲଗା ଥିଲା । ବେଦୀ ବଦଳରେ ଯୁଇକୁ ଗଲା ପୁଅ, ହୋମ ନିଆଁ ପରିବର୍ତ୍ତେ ଜଳିଲା ଯୁଇର ନିଆଁ ଠିକଣା ପାଲଟିଲା ମଶାଣୀ ଭୂଇଁ । ବର ବେଶ ବଦଳରେ ଶବ ହୋଇଗଲା ପୁଅର ଦେହ । ପୁଣି ଗୋଟିଏ ମାଆର କୋଳ ଖାଲି କରିଦେଇଛି ମହାମାରୀ କୋରୋନା । ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳ ନାଥସାହି ପ୍ରାଣବନ୍ଧୁ ନାଥଙ୍କ ପୁଅ ମାତ୍ର ୨୮ ବର୍ଷ ବୟସର ଚନ୍ଦ୍ରମଣି ନାଥ କୋରୋନାରେ ପ୍ରାଣ ହରାଇଛନ୍ତି ।
ଦୁଃଖର ବିଷୟ ଜୁନ ୧୧ ତାରିଖରେ ଚନ୍ଦ୍ରମଣିଙ୍କର ବିବାହ ସ୍ଥିର ହୋଇଥିଲା । ହେଲେ ଦେହ ଅସୁସ୍ଥ ହେବାରୁ ଏହା ଜୂନ ୧୮ ଅର୍ଥାତ ଆଜି ପର୍ଯ୍ୟନ୍ତ ଘୁୟ୍ଚାଇ ଦେଇଥିଲେ ପରିବାର ଲୋକେ । ତେବେ ଘରେ ରହି ଚିକିତ୍ସିତ ହେଉଥିବାବେଳେ ଗତ ୧୩ ତାରିଖ ଦିନ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ନିଃଶ୍ୱାସପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବା ସହ ଅକ୍ସିଜେନ ଲେବୁଲ ମଧ୍ୟ କମିବାକୁ ଲାଗିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ତେବେ ୧୪ ତାରିଖ ଦିନ ସେ ପ୍ରାଣ ହରାଇତିବା ଜଣାଯାଇଛି ।
ଏପରି ସମୟରେ ପରିବାରଲୋକଙ୍କୁ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ ମିଳିପାରିନାହିଁ । ତେଣୁ ଶବ ସତ୍କାର ହେବା ପରିବର୍ତ୍ତେ ଦାଣ୍ଡରେ ପଡ଼ି ରହିଥିଲା । ତେବେ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଚନ୍ଦ୍ରମଣୀଙ୍କର ଶବ ସତ୍କାର କରାଯାଇଛି ।