ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଋଷି ସୁନକ

0

ଲଣ୍ଡନ :  ଋଷି ସୁନକ ଔପଚାରିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ।

ସୁନକ ଗତକାଲି କଂଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରଥ ପରିଷ୍କାର ହୋଇଥିଲା । ବ୍ରିଟିଶ ପରମ୍ପରା ଅନୁସାରେ ରାଜା କିମ୍ବା ରାଣୀ ହିଁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତି ।

ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାର କିଛି ସମୟ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଟେଲିଭିଜନ ଭାଷଣ ରଖିଛନ୍ତି ସୁନକ । ଏଥିରେ ଦେଶର ବିଭିନ୍ନ ସମସ୍ୟା ଯେପରିକି ଆର୍ଥିକ ସମସ୍ୟା, ବ୍ରେକ୍ସିଟ ଆଦି ସମ୍ପର୍କରେ ନିଜର ମତ ରଖିଛନ୍ତି । ଦେଶର ଅର୍ଥନୀତିକୁ ସଜାଡ଼ିବା ତାଙ୍କ ଆଗରେ ସବୁଠାରୁ ବଡ଼ ଆହ୍ବାନ ହୋଇରହିଛି । ଆଗକୁ କେତେକ ଭୁଲ କରାଯାଇଛି ଓ ଦେଶ ଏକ ଆର୍ଥିକ ସଂକଟରେ ରହିଛି ବୋଲି ସେ କହିଛନ୍ତି । ଆଗକୁ କଠିନ ସମୟ ରହିଛି ବୋଲି ସେ ଚେତାଇ ଦେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଟ୍ରସଙ୍କ 45 ଦିନର ପ୍ରଧାନମନ୍ତ୍ରୀ ସମୟରେ ଅର୍ଥନୀତିରେ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଦେଶର ଅର୍ଥନୀତିକୁ ତଳିତଳାନ୍ତ କରିଚାଲିଥିଲା । ଦେଶର ଦୁର୍ବଳ ଅର୍ଥନୀତିକୁ ନେଇ ବିରୋଧୀ ଦଳ ମଧ୍ୟ ଆନ୍ଦୋଳନ କରିବାକୁ ଧମକ ଦେବା ସହ ଦେଶରେ ନିର୍ବାଚନ ପାଇଁ ଦାବି କରିଥିଲା । ଯାହା ଫଳରେ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

 

ମଧ୍ୟବର୍ତ୍ତି ନିର୍ବାଚନ ପାଇଁ ଦାବି କରୁଥିଲା ବିରୋଧୀ ଲେବର ପାର୍ଟି । ଦଳର କ୍ଷତି ନହେବା ପାଇଁ କନଜରଭେଟିଭ ପାର୍ଟି ନିଜର ନେତା ଭାବେ ସୁନକଙ୍କ ନାମ ଘୋଷଣା କରିଥିଲା । ଆସନ୍ତା 28 ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।