ମାହାଙ୍ଗାରେ ହୃଦୟବିଦାରକ ଗଣହତ୍ୟା: ବଡ ଭାଇ ପରିବାରକୁ ନିପାତ କଲା ସାନ ଭାଇ

0

କଟକ:  ମାହାଙ୍ଗା ଅଞ୍ଚଳରେ ହୃଦୟବିଦାରକ ଗଣ ହତ୍ୟା । ବଡ ଭାଇର ପୁରା ପରିବାରକୁ ମୂଳରୁ ନିପାତ କରିଦେଇଛି ସାନ ଭାଇ । ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା, ଦୁଇ ପୁଅ ଏବଂ ଜଣେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାନ ଭାଇ ଶିବ ପ୍ରସାଦ ସାହୁ । ଘଟଣାଟି କଟକ ଜିଲ୍ଲା କୁସୁପୁର ଗାଁରେ ଘଟିଥିବା ବେଳେ ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ନିଜର ଦୋଷ ସ୍ୱିକାର କରିବା ସହିତ ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା କୁସୁପୁର ଗାଁର ଅଲେଖ ସାହୁ ଓ ଭାଇ ଶିବପ୍ରସାଦ ସାହୁଙ୍କ ମଧ୍ୟରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଅନେକ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଗତକାଲି ରାତିରେ ଉକ୍ତ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ବଡ ଭାଇ ଓ ତାର ପରିବାର ସାନଭାଇ ଶିବକୁ ମାଡ ମାରିଥିଲେ । ଯାହା ଫଳରେ ଶିବ ରାଗରେ ମାନସିକ ସ୍ଥିତି ହରାଇ ବଡ଼ ଭାଇର ପୂରା ପରିବାରକୁ ହତ୍ୟା କରିଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଘର କବାଟ ବନ୍ଦ କରି ପଳାଇ ଆସିଥିଲା ।

ଆଜି ସକାଳେ ସୋସିଆଲ ମିଡ଼ିଆରେ ନିଜ ଦୋଷ ସ୍ୱିକାର କରିଥିଲା ଅଭିଯୁକ୍ତ ଶିବ ସାହୁ । ଫେସବୁକରେ କହିଥିଲା, ଜମିବାଡିକୁ ନେଇ ବଡ ଭାଇ ସହ ତିକ୍ତତା ଲାଗି ରହୁଥିଲା । ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । ସେମାନେ କାଲି ରାତିରେ ସମସ୍ତେ ମିଶିକି ଭାଇ, ଭାଉଜ, ତା ପିଲାମାନେ ମିଶିକି ମୋତେ ମାରିଲେ । ତେଣୁ ମୁଁ ବି ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରି ଦେଇଛି । ତେଣୁ ମୁଁ ବର୍ତ୍ତମାନ ଯାଉଛି ବାଲିଚନ୍ଦ୍ରପୁର ଥାନାରେ ସରେଣ୍ଡର କରିବି । କାରଣ ମାହାଙ୍ଗା ଯିବାକୁ ମୋ ପାଖରେ କୌଣସି ଉପାୟ ନାହିଁ । ମୋତେ ଯାହା ଦଣ୍ଡ ମିଳିବ, ତାହାକୁ ସହିବି । ପରେ ସେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣା ପ୍ରଘଟ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଘରର କବାଟ ଖୋଲା ଯାଇଥିଲା ।