ବୁଲବାଇ ଆପ୍ ଓଡ଼ିଶାରୁ ଜଣଙ୍କୁ ଗିରଫ

0

ମୁମ୍ବାଇ : ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ବୁଲବାଇ ଆପ୍ ମାମଲାରେ ମୁମ୍ବାଇ ପୋଲିସ । ଏଏନଆଇ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଏ ମାମଲାରେ ଏ ପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ପରେ ଏହାକୁ ଏହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ବୁଲି ବାଇ ଆପ୍ । ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି । ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନୀ ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି । ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି । ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି । ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା । ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ ।