ଲାହୋର– ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୦ଜଣଙ୍କର ମୃତ୍ୟୁ ହୋଇଛି ।ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩୦ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୭୪ଜଣ ଏଥିରେ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ କିଛି ଲୋକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଲାହୋର ଠାରୁ ୪୬୬ କିମି ଦୂର ଡେରା ଗାଜି ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଭୋର ପ୍ରାୟ ୫.୪୦ରେ ଯାତ୍ରୀବାହୀ ବସ୍ଟି ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ବସ୍ଟି ସଂପୂର୍ଣ୍ଣ ରୂପ ଧ୍ୱଂସ ପାଇଯାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡେରା ଗାଜି ଖାନ୍ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।ଗତ ମାସରେ ସିନ୍ଧ ପ୍ରଦେଶରେ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଦୁର୍ଘଟଣାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।