ଆଜିଠାରୁ ଲାଗୁ ହେଲା ସିଏଏ

0

(ପ୍ରମିତ ପ୍ରମଥେଶ) ରିିପୋର୍ଟସ ଟୁଡ଼େ: ନାଗରିକତା ସଂଶୋଧନ ଆଇନ,୨୦୧୯ ଆଜିଠାରୁ ଦେଶରେ ଲାଗୁ ହୋଇଛି। ଏ ବାବଦରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଓ ହିଂସା ଜାରି ରହିଥିବା ବେଳେ ସରକାର ଏଭଳି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବା ସଭିଙ୍କୁ ଚକିତ କରିଛି।

ଏହାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି। ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ବୋଲି ସରକାର ଦର୍ଶାଇବା ସହ ଆଜି ଏ ବାବଦ ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ଅଧିନିୟମ, ୧୯୫୫ରେ ପରିବର୍ତ୍ତନ ଆଣି ମୋଦି ସରକାର ନାଗରିକତା ସଂଶୋଧନ ବିଲ୍‌ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ସହିତ ଆଇନରେ ପରିଣତ ହୋଇଥିଲା।

ଆଜି ସରକାର ଏକ ବିଜ୍ଞପ୍ତି ଜାରି କରି ଏହି ଆଇନକୁ ସମଗ୍ର ଦେଶରେ ଲାଗୁ କରିଛନ୍ତି। ଏହା ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍‌, ଖ୍ରିଷ୍ଟୀୟାନ ଏବଂ ପାର୍ସୀ ଶରଣାର୍ଥୀ ଭାରତର ନାଗରିକତା ସହଜରେ ପାଇପାରିବେ। ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ସଂପ୍ରଦାୟର ଶରଣାର୍ଥୀଙ୍କୁ ଏବେ ଭାରତର ନାଗରିକତା ମିଳିବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ସିଏଏ ଦ୍ବାରା କୌଣସି ଭାରତୀୟଙ୍କର ନାଗରିକତା ପ୍ରଭାବିତ ହେବନାହିଁ ଏବଂ ଏ ନେଇ ସମସ୍ତେ ଆଶ୍ବସ୍ତ ରହିବା ଉଚିତ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।