ସ୍କୁଟିକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ, ୪ ଗୁରୁତର

ଅଳ୍ପକେ ବର୍ତ୍ତିଲେ ଦୁଇ ଭଉଣୀ

0

ସାଲେପୁର: ସାଲେପୁର ଥାନା ଅଧୀନସ୍ଥ କଟକ ଚାନ୍ଦବାଲି ରାସ୍ତାର ନାଳିଆମୁହିଁ ଛକ ନିକଟରେ ଶନିବାର ସକାଳ ପ୍ରାୟ ସାଢେ଼ ସାତଟାରେ ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ ଏକ ସ୍କୁଟି ଉପରେ ଚଢ଼ି ଯାଇଥିଲା। ସୌଭାଗ୍ୟ ବଶତଃ ଦୁଇ ଭଉଣୀ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି। କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ ଯାଉଥିଲା। ଅପରପକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ବସପୁର ଅଞ୍ଚଳର ସ୍ନିଗ୍ଧା ମହାନ୍ତି ଓ ସ୍ମିତା ମହାନ୍ତି ଦୁଇ ଭଉଣୀ ଏକ ସ୍କୁଟିରେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ମଧ୍ୟ ଯାଉଥିଲେ। ସ୍କୁଟି ଉପରେ ଟ୍ରକଟି ଚଢି ଯିବାରୁ ଭାଙ୍ଗିରୁଜି ଯାଇଥିବାବେଳେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ସେହିପରି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ଅନ୍ୟ ଜଣେ ସ୍କୁଟି ଚାଳକ ସମାନ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାରେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରତାପ ବେହେରା ଗୁରୁତର ଆହତ ହୋଇଥିବାବେଳେ ଉକ୍ତ ସ୍କୁଟିରେ ଥିବା ଅନ୍ୟ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ୍ ଓ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।