ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ୧୯୩୬ ଏପ୍ରିଲ ୧  ଓଡିଶା ପାଇଁ ଅବିସ୍ମରଣୀୟ ଆଜିର ଦିନ । ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ।ରାଜ୍ୟ ପାଇଥିଲା ସ୍ୱତନ୍ତ୍ର ପରିଚୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଥିବା ଜନନାୟକମାନଙ୍କୁ ମନେ ପକାଇବା ସହ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ସମୃଦ୍ଧ କରିବାକୁ ବାର୍ତ୍ତା ଦେଇଛନ୍ତି ରାଜ୍ୟପାଳ ।

ସେହିଭଳି ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ଅନ୍ୟପକ୍ଷେ ଏହି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ଦିବସ ଅବସରରେ ଓଡିଶାର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଏହି ରାଜ୍ୟର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ୟ୍ୟ, ସ୍ଥାପତ୍ୟ, ହସ୍ତଶିଳ୍ପ ଏବଂ ନୃତ୍ୟ କଳା ପାଇଁ ଦେଶ ଗର୍ବିତ ଯାହା ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଅନନ୍ତ ବାର୍ତ୍ତା ଦେଇଛି’ । ରାଷ୍ଟ୍ରପତି ଆହୁରି ମଧ୍ୟ ଲେଖିଛନ୍ତି, “ଓଡିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭେଚ୍ଛା’।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଖୁସି ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହା ସହ ଓଡିଶାର ଅନନ୍ୟ ସଂସ୍କୃତିକୁ ଶତତ ସମ୍ମାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।