ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

ଦିନକୁ ଦିନ ବଢୁଛି ଜନବସତି ଓ କଂକ୍ରିଟ ଜଙ୍ଗଲ

0

ବାଙ୍ଗାଲୋର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ ବିଭିନ୍ନ ସମୟରେ ଏହା ପ୍ରାକୃତିକ ଦୁର୍ବିପାକ ପାଇଁ ମୁଖ୍ୟ କାରଣ ହୋଇଛି। ତେବେ ଜୀବଜଗତ ପାଇଁ ପରିବେଶ ସନ୍ତୁଳନ ଠିକ୍ ରହିବା ନିହାତି ଆବଶ୍ୟକ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ସଚେତନାତା କରାଇବା ସହିତ ବୃକ୍ଷରୋପଣ ଭଳି ମହତ୍ କାର୍ୟ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାରି ରହିଛି। କଥାରେ ଅଛି ବୃକ୍ଷ ହିଁ ଜୀବନ,ବୃକ୍ଷ ହିଁ ଆମର ପ୍ରାଣ। ଆଜି ଯେମିତି ଏହି ଉକ୍ତିଟି ମଣିଷ ସମାଜ ପାଇଁ ପ୍ରହେଳିକା ଭଳି ହୋଇଛି।
ତେବେ ଏହାର ସଦ୍ୟତମ ଉଦାହରଣ କର୍ଣ୍ଣାଟକର ରାଜଧାନୀରେ ବେଙ୍ଗାଲୁରୁ ହୋଇଥିବା ସହରୀ ବନ୍ୟାରେ ଦେଖିବାକୁ ମିଳିଛି। ବିକାଶ ନାଁରେ ଯେଉଁଭଳି ଗଛ କଟାଯାଉଛି, ତାହା ପରିବେଶ ସନ୍ତୁଳନ ରକ୍ଷା କରିବାରେ ବାଧକ ହେଉଛି। ଆସନ୍ତୁ ଏକ ଉଦାହରଣ ରୂପେ ବେଙ୍ଗାଲୁରୁ ସହରକୁ ନେବା, ୧୯୭୩ ମସିହାରେ ବେଙ୍ଗାଲୁରୁ ସହର ୬୮.୨ ପ୍ରତିଶତ ଅଞ୍ଚଳ ସବୁଜିମାରେ ଭରି ରହିଥିବା ବେଳେ ୭.୯୭ ପ୍ରତିଶତ ସ୍ଥାନରେ ଜନବସତି ରହିଥିଲା। ତେବେ ୨୦୦୨ ମସିହାରେ ଏଥିରେ ଦେଖାଯାଇଥିଲା ବିରାଟ ବ୍ୟତିକ୍ରମ, ଯାହାକି ୩୮.୭ ପ୍ରତିଶତ ଜଙ୍ଗଲ, ଚାଷଜମି ଓ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରି ରହିଥିବା ବେଳେ ପ୍ରାୟ ୩୭.୪ ପ୍ରତିଶତ ଅଞ୍ଚଳରେ ବିରାଟ ଅଟ୍ଟାଳିକା ମାନ ଗଢି ଉଠିଥିଲା। ଫଳରେ ଏହି ୨୯ବର୍ଷ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ଥିବା ବେଙ୍ଗାଲୁରୁ ସହର ଅଧାରୁ ଅଧିକ ସ୍ଥାନ କଂକ୍ରିଟ୍ ବିଲ୍ଡଙ୍ଗରେ ଆଚ୍ଛାଦିତ ହୋଇଯାଇଥିଲା। ସେହିପରି ୨୦୧୭ ମସିହାରେ ମାତ୍ର ୬.୪୬ ପ୍ରତିଶତ ପ୍ରାକୃତିକ ପରିବେଶ ଭରା ସ୍ଥାନ ବଳକା ରହିଥିବା ବେଳେ ୭୮.୭ ପ୍ରତିଶତ ଜାଗା ସମ୍ପୂର୍ଣ୍ଣ ଜନଗହଳି ପୂର୍ଣ୍ଣ ବିଲ୍ଡଙ୍ଗରେ ପରିଣତ ହୋଇଥିଲା।
ଏହା ଦର୍ଶାଉଛି ଯେ, ବେଙ୍ଗାଲୁରୁ ସହରର ଅଭିବୃଦ୍ଧି ଧୀରେ ଧୀରେ ବଢିବା ସହିତ ଜଙ୍ଗଲ ସହ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ୟ୍ୟର ଦ୍ରୁତ ଅବନୀତି ଘଟିଛି। ପ୍ରାକୃତିକ ପରିବେଶ ଭରା ଜମିକୁ ଅଧିକ ଦଖଲ କରାଯିବା ସହିତ ୨୦୦୨-୨୦୧୭ ବର୍ଷ ମଧ୍ୟରେ ଜଙ୍ଗଲ ଜମି ୩୮.୭% ରୁ ୬.୪୬% କୁ ହ୍ରାସ ପାଇଥିଲା। ବେଙ୍ଗାଲୁରୁ ସହରକୁ କର୍ମ ସଂସ୍ଥାନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ ହେବାରୁ ଜଙ୍ଗଲ ଜମିକୁ ରୂପାନ୍ତର କରି କୋଠା ନିର୍ମାଣ କରାଯାଇଛି। ସେହିଭଳି ୨୦୨୦ ମସିହାରେ ହୋଇଥିବା ଶେଷ ସର୍ଭେ ଅନୁସାରେ, ୯୩.୩ ପ୍ରତିଶତ ଜମି ସମ୍ପୂର୍ଣ୍ଣ ଭାବେ କଂକ୍ରିଟ୍ କୋଠାରେ ପରିଣତ ହୋଇଛି। ମାତ୍ର ୨.୯୬ ପ୍ରତିଶତ ଜମି ପରିବେଶ ଉପଯୋଗୀ ହୋଇ ରହିଛି। ଫଳରେ ଆଗମୀ ୩ ବର୍ଷରେ ପ୍ରାୟ ୩.୫ ପ୍ରତିଶତ ଜମି ସହରୀ କୋଠାରେ ପରିଣତ ହୋଇଯିବ ବୋଲି ଆକଳନ କରାଯାଇଛି।
ଅନ୍ୟପଟେ ବିଗତ ୪୭ବର୍ଷରେ ବେଙ୍ଗାଲୁରୁ ସହରର ରୂପରେଖ ବଦଳିବା ସହ ୬୮.୨ ପ୍ରତିଶତ ପ୍ରାକୃତିକ ପରିବେଶ ଭରା ଜମି ୨.୯୬ ପ୍ରତିଶତକୁ ହ୍ରାସ ଘଟିବା ସହିତ ମଣିଷ ସମାଜ ଓ ଜୀବଜଗତ ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ସହରିକରଣ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ଯଥେଷ୍ଟ ପରିମାଣର ବୃକ୍ଷ ରୋପଣ କରିବା ଜରୁରୀ।
ଆସନ୍ତୁ ସମସ୍ତେ ଜୀବନକାଳ ମଧ୍ୟରେ ଅତିକମ୍ ରେ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପ୍ରତିଶୃତି ବଦ୍ଧ ହେବା। ତେବେ ପରିବେଶରେ ବୃକ୍ଷର ପରିମାଣ, ଯେତେ ରହିବ ଆମମାନଙ୍କୁ ସେହି ଆକାରରେ ସୁସ୍ଥ ବାୟୁ ଓ ଜଳବାୟୁ ପରିବର୍ତ୍ତନ ରୋକିବାରେ ସକ୍ଷମ ହେବ। ଏଥିସହ ପ୍ରାକୃତିକ ଦୁର୍ବିପାକ ରୋକିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।