ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :ବନ୍ୟପ୍ରାଣି ସପ୍ତାହ ପାଳନ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଭର୍ଚୁଆଲ ମୁଡ୍ରେ ଯୋଗ ଦେଇ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା,ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହେଯାଗର ହାତ ବଢାଇଛନ୍ତି । ରାଜ୍ୟସ୍ତରୀୟ ୬୮ ତମ ବନ୍ୟପ୍ରାଣି ଉତ୍ସବରେ ଏ ନେଇ ଆଲୋଚନା କରାଯାଇଥିଲା । ଜୟଦେବ ଭବନଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ପରିବେଶ ପର୍ୟ୍ୟଟନସ୍ଥଳୀ ପ୍ରତିଷ୍ଠା ହୋଇଛି। ଆଗାମୀ ଦିଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ପରିବେଶ ପର୍ୟ୍ୟଟନସ୍ଥଳୀ ବିକଶିତ କରିବାର ଯୋଜନା ରହିଛି।

 

ଚଳିତ ଆର୍ଥିକ ବର୍ଷଠାରୁ ‘ଅନୁକମ୍ପା’ ପୋର୍ଟାଲ ଜରିଆରେ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ ଅନେକ ମାତ୍ରାରେ ପ୍ରଶମିତ କରାଯାଇପାରିବ।ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବା ଲାଗି ରାଜ୍ୟ ସରକାର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ଏଥିସହ ସୁନାବେଡ଼ା ଓ ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ବସବାସ କରୁଥିବା ଗ୍ରାମର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ନିଷିଦ୍ଧାଞ୍ଚଳରୁ ସ୍ବେଚ୍ଛାକୃତ ବିସ୍ଥାପନ କରାଯାଇ ସେମାନଙ୍କୁ ପୁନଃ ଥଇଥାନ କରାଯିବାର ସୁବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ ଭିତରେ ଥିବା ୬ଟି ଗ୍ରାମରୁ ୪୭୯ ପରିବାରକୁ ସ୍ବେଚ୍ଛାକୃତ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ଉପସ୍ଥିତ ବନ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।