ଲେମ୍ବୁ ଦର ଶୁଣି ଗ୍ରାହକଙ୍କ ମନ ଖଟା: କ’ଣ ଖାଇବେ, ରସଗୋଲା ନା ଲେମ୍ବୁ ?

0

ଭୁବନେଶ୍ୱର: ପରିବା ଭିତରେ ମୁଁ ରାଜା । ମୋତେ ଆଉ ମାଗଣାରେ ନୁହେଁ ବରଂ ୧୦ ଟଙ୍କା ଦେଇ ନେବେ । ମୋ ଦାମ ଏବେ ରସଗୋଲା ସହ ସମାନ । ଚିକେନ କିଲୋ ବି ମୋ ଦରଦାମ ଆଗରେ ଫିକା । ଆଜ୍ଞା ଲେମ୍ବୁ ଯଦି ଆମ ପରି ଜଣେ ମଣିଷ ହୋଇଥାନ୍ତା,ତେବେ ସେ ଠିକ ଏହିପରି ନିଜ ଛାତିକୁ ଫୁଲାଇ ଗର୍ବର ସହ ଏହି କଥା ବୁଲି ବୁଲି କହିଥାନ୍ତା । କାହିଁକି ବା ନୁହେଁ ଏବେ ରସଗୋଲା ଏବଂ ଚିକେନକୁ ପଛରେ ପକାଇ ଆଗରେ ରହିଛି ଲେମ୍ବୁ । ମାର୍କେଟରେ ରସଗୋଲା ଗୋଟା ୧୦ ଟଙ୍କା ଥିବାବେଳେ ଲେମ୍ବୁଗୋଟା ବି ସମାନ ମୂଲ୍ୟରେ ମିଳିଛି ।

ସେହିପରି ମାର୍କେଟରେ ଚିକେନ କିଲୋ ୨୨୦ ଟଙ୍କା ରହିଥିବା ବେଳେ ଲେମ୍ବୁ କିଲୋ ରହିଛି ୨୫୦ ଟଙ୍କା । ଏବେ ଚାଲିଛି ଖରାଦିନ ଆଉ ଏହି ଦିନରେ କି ଧନି କି ଗରିବ ସମସ୍ତଙ୍କ ଘରେ ଲେମ୍ବୁ ଥାଏ । ଗରିବର ପଖାଳ କଂସା ପାଖେ ହେଉ କି ଧନୀର ଡ଼ାଇନିଂ ଟେବୁଲରେ ସବୁଠି ଲେମ୍ବୁର ଚାହିଦା । କି ଖରା କି ଶୀତ ବର୍ଷକ ବାରମାସ ବିନା ଲେମ୍ବୁରେ ଚଳିବା ମୁସ୍କିଲ । ବିଶେଷ କରି ଖରାଦିନ ଆସିଲେ ତ ଲେମ୍ବୁକୁ ବେଶ ଖୋଜା ପଡ଼ିଥାଏ । ଘରକୁ କେହି ଅତିଥି ଆସିଲେ ଲେମ୍ବୁ ସରବତ ତ ଆଗ ଦରକାର ।

ଏବେ କିନ୍ତୁ କଥା ପୁରା ଓଲଟା ହୋଇଯାଇଛି। ଲେମ୍ବୁର ଭାଉ ଦେଖି ଲୋକେ ଭାବୁଛନ୍ତି ଲେମ୍ବୁ ସର୍ବତ ବଦଳରେ ଅତିଥିଙ୍କୁ ବାହାରୁ ଥଣ୍ଡା କି ସର୍ବତ ଆଣି ଦେଇ ଦେବା ଟା ହିଁ ଭଲ । ମହଙ୍ଗା ଯୁଗରେ ଏବେ ତ ସବୁ ମହଙ୍ଗା । କିନ୍ତୁ ପରିବା ସହ ଫ୍ରିରେ ଯାଉଥିବା ଲେମ୍ବୁଟି ଯେ ଏତେ ମହଙ୍ଗା ହୋଇଯିବ ସେ କଥା କିଏ ଭାବିଥିଲା ।