ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ

0

ଭୁବନେଶ୍ୱର: କରୋନା ସଂକ୍ରମଣ ସାରା ରାଜ୍ୟରେ କମୁଥିଲେ ମଧ୍ୟ ରାଜଧାନୀରେ ସଂକ୍ରମଣ ହାର ସେହି ଅନୁପାତରେ କମୁ ନ ଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳେ ସଂକ୍ରମଣ ରୋକିବା ପାଇଁ ବିଏମ୍ସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଅଧିକ ଗୁରୁତ୍ୱ ଦେଉଛି । ଯେଉଁଠି ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି ସେହି ଅଞ୍ଚଳରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି । ସପ୍ତାହ ମଧ୍ୟରେ ରାଜଧାନୀରେ ତିନିଟି ବଡ ବଡ ଆପାର୍ଟମେଣ୍ଟର କିଛି ଅଂଶକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଜି ପୁଣି ଏକ ଆପାର୍ଟମେଣ୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ବିଏମ୍ସି ।
ବିଏମସିର ଦକ୍ଷିଣ-ପୂର୍ବ ଜୋନରେ ଥିବା ୟୁନିଟ୍-୬ ଗଙ୍ଗନଗର ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ବରୁଣଧାବନ ପ୍ଲାଜା ଆପାର୍ଟମେଣ୍ଟର ପଞ୍ଚମ ଫ୍ଲୋରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଫ୍ଲୋରକୁ ବାହାର ଲୋକଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି । ଆବଶ୍ୟକ ସ୍ଥଳେ ବିଏମ୍ସି ପକ୍ଷରୁ ମେଡିସନ, ଖାଇବା ଠୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ବିଏମ୍ସି ପକ୍ଷରୁ ଯୋଗାଇ ଦେବାକୁ କୁହାଯାଇଛି । ଯଦି ନିୟମରେ କେହି ଅବହେଳା କରନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।