କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଗତକାଲି ରାତ୍ର ୪ଟା ରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀ ମାନେ ଆତଙ୍କ ରଚାଇଛନ୍ତି । କେଉଁଠୁ ଏହି ହାତୀ ଆସିଛନ୍ତି ଓ କେତେ ହାତୀ ଆସିଛନ୍ତି ତାହା ଏପର୍ଯ୍ୟନ୍ତ ସଠିକ୍ ଜଣାପଡିନାହିଁ । ଗତକାଲି ସାରା ରାତି ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ଆଜି ଭୋରରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳିଦେଇଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲି ଯାଇଛି। ମୃତକ ଦ୍ୱୟ ନିମପୁରର ବୋଲି ଜଣାପଡ଼ିଛି।
ସେହିପରି ହାତୀପଲ ବହୁ ଘରଦ୍ୱାର ଓ ଗାଡ଼ିମୋଟର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଏବେବି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଜାରିଥିବା ବେଳେ ବନବିଭାଗ ଓ ପୋଲିସ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚୌଦ୍ୱାର ଦେଇ ହାତୀପଲ ଜଗତପୁର ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ସେପଟେ ଯୋବ୍ରା ବ୍ୟାରେଜର ୨୦ ନମ୍ବର ଗେଟ୍ରେ ଏକ ହାତୀର ମୃତଦେହ ମିଳିଛି। ମୃତ ହାତୀଟି ନଦୀ ପାର୍ ବେଳେ ଭାସିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
ଗତକାଲି ସନ୍ଧ୍ୟାରେ ଚୌଦ୍ଵାର ପାଇକରାପୁର ଗାଁ ରାସ୍ତାରେ ୩ଟି ହାତୀ ବନ୍ଦ ପଡ଼ିଥିବା କାଗଜକଳ ପରିସରରେ ଥିଲେ। ଆଜି ବିରୂପା ନଦୀରେ ପଶି ଜଗତପୁରର ନଜରପୁର ଠାରେ ୨ଜଣଙ୍କୁ ମାରିଥିବା ସୂଚନା ମିଳିଛି।