ଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟ

0

ନୂଆଦିଲ୍ଲୀ: ଏବେ ୫ଜି ସାହାଯ୍ୟରେ ଗ୍ରାମୀଣ ଉନ୍ନତି କରିବ ରିଲାଏନ୍ସ ଜିଓ । ଏହାଦ୍ୱାରା ବଦଳିଯିବ ଗ୍ରାମୀଣ ଭାରତର ରୂପରେଖ । ବ୍ୟାପକ ପରିବର୍ତ୍ତନ ଆଣିବ ୫ଜି ସମାଧାନ । ଏହି ସମାଧାନ ଗୁଡ଼ିକରେ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଉପଲବ୍ଧ ହେବ । ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ ଏହି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି । ଏହି ପ୍ରଯୁକ୍ତିରେ ସହର ସହ ଗ୍ରାମାଚଂଳରେ ଉନ୍ନତି କରିବ ବୋଲି ଆଶା ରଖାଯାଇଛି ।

ତେବେ ଲମ୍ଫି ରୋଗରେ ବହୁ ପଶୁ ମରିଯାଇଥିଲେ ହେଲେ ଆଗୁଆ ସୂଚନା ଦେବା ପାଇଁ କିଛି ନଥିଲା । ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା । “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍ର ବିକାଶ କରାଯାଇଛି । ପାଂଚ ବର୍ଷ ପର‌୍ୟ୍ୟନ୍ତ କାମ କରିପାରୁଥିବା ଏହି ୪ ଇଂଚ୍ର ଡିଭାଇସ୍କୁ କେବଳ ପଶୁମାନଙ୍କ ବେକରେ ଘଂଟି ଭଳି ବାନ୍ଧିବାକୁ ହେବ । ଏହା ପରେ ଡିଭାଇସ୍ ସବୁ କାମ କରିବ । ଦେଶରେ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାୟ ୩୦ କୋଟି ପଶୁମାନଙ୍କ ଉପରେ କେବଳ ୫ଜି ସ୍ପିଡ୍ ଜରିଆରେ ଏକସଙ୍ଗେ ନଜର ରଖାଯାଇପାରିବ ।
ଏହାଦ୍ୱାରା ପଶୁ କେତେବେଳେ ଖାଦ୍ୟ ଖାଇଲେ, କେତେ ପାଣି ପିଇଲେ, କେତେବେଳେ ପାକୁଳି କଲେ ସବୁ ସୂଚନାକୁ ପଶୁପାଳ ମାନଙ୍କୁ ଏହି ଡିଭାଇସ ପ୍ରଦାନ କରିବ । ସବୁ ପଶୁପାଳକ ଜାଣିଛନ୍ତି, ପଶୁ ରୋଗାଗ୍ରସ୍ତ ହେଲେ ପାକୁଳି କରିବା ଅଳ୍ପ କରିଥାନ୍ତି କିମ୍ବା ପୁରା ବନ୍ଧ ମଧ୍ୟ କରିଦେଇଥାନ୍ତି । ତେବେ ପାକୁଳି କରିବା ବିଷୟରେ ଏହି ଡିଭାଇସ ତଥ୍ୟ ଦେବ । ସେହିପରି ପଶୁଙ୍କ ଗର୍ଭଧାରଣର ସଠିକ ସମୟ ଜଣାଇବ ଏହି ଡିଭାଇସ । ତେବେ ପଶୁଙ୍କ ବାଦ ଦିଆଗଲେ ଚାଷ ଜମି ଓ ମୃର୍ତ୍ତିକା ସ୍ୱାସ୍ଥ୍ୟର ଯତ୍ନ ନେବ ଜିଓର କୃଷି ୫ଜି ଡିଭାଇସ ।

କେତେ ପରିମାଣର ବର୍ଷା ହୋଇଛି ଓ ମାଟି ତଥା ପରିବେଶରେ ଆର୍ଦ୍ରତା କିଭଳି ରହିଛି ଏବଂ ଅତ୍ୟଧିକ ଗରମ ଭଳି ସୂଚନା ଏହି ଡିଭାଇସ୍ ବାସ୍ତବ ସମୟ ଭିତରେ ଚାଷୀଙ୍କୁ ପ୍ରଦାନ କରିବ । ଏକ ସ୍ୱତନ୍ତ୍ର ପାଣିପାଗ ପରିସ୍ଥିତିରେ କେଉଁଭଳି କୀଟ ଫସଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି ତାହାର ସତର୍କ ସୂଚନା ମଧ୍ୟ ଏହି ଡିଭାଇସ୍ ପ୍ରଦାନ କରିବ । ଜିଓ ଏଭଳି ଡ୍ରୋନ୍ ସମାଧାନ ପ୍ରସ୍ତୁତ କରିଛି ଯେଉଁଥିରେ ୫ଜିର ସଂଯୋଗ ରହିଛି । ଏହି ଡ୍ରୋନ୍ ଜିଓ-କୃଷି ଡିଭାଇସ୍ରୁ ତଥ୍ୟ ସଂଗ୍ରହ କରି ଫସଲରେ କୀଟ ଲାଗିବା ପୂର୍ବରୁ ଔଷଧ ସିଂଚନ କରିବ । ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ୱେ ଯଦି ଫସଲରେ କୀଟ ଲାଗିବ ତେବେ ଏହି ବୁଦ୍ଧିମାନ ଡ୍ରୋନ୍ କେବଳ କୀଟ ଲାଗିଥିବା ସ୍ଥାନରେ ଔଷଧ ସିଂଚନ କରିବ । ମାଟି ଭଲ ରହିଲେ ଫସଲ ମଧ୍ୟ ବଢ଼ିଆ ହେବ ଏବଂ ଗାଁ ସମୃଦ୍ଧ ହୋଇପାରିବ ।