ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସମ୍ପତି ତାଲିକା ଦାଖଲ ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ କିଛି ବିଭାଗୀୟ ଅଧିକାରୀ ମାନେ ନିଜର ସମ୍ପତି ତାଲିକା ଦାଖଲ କରିବାରେ ଅବହେଳା କରୁଥିବା ଜଣାପଡିଛି । ଯେଉଁଥି ପାଇଁ ୨୦୨୧ ପାଇଁ ସମ୍ପତି ତାଲିକା ଦାଖଲର ସମୟସୀମାକୁ ପୁଣି ବଢାଇଦିଆ ଯାଇଛି । ନିୟମ ହିସାବରେ ଜାନୁଆରୀ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅବଧି ପାଇଁ ସମ୍ପତି ତାଲିକା ଦାଖଲର ଶେଷ ତାରିଖ ଥିଲା ଡିସେମ୍ବର ୩୧ । ପରେ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇଥିଲା ।
କିନ୍ତୁ କିଛି ସରକାରୀ ଅଧିକାରୀ ମାନଙ୍କୁ ଏ ନିୟମ ସୁହାଉନାହିଁ ବୋଧେ । ଯେଉଁଥି ପାଇଁ ଦୁଇ ଦୁଇ ଥର ଦାଖଲ ତାରିଖ ବଦଳାଇଲା ପରେ ମଧ୍ୟ ବାବୁ ମାନଙ୍କୁ ନିଘା ନାହିଁ । ଅନ୍ୟପଟେ ଭିଜିଲାନ୍ସ ରେଡ ଦ୍ୱାରା ସରକାରୀ ବାବୁ ମାନଙ୍କ ଘରୁ ବାହାରୁଥିବା କଳା ଧନ ସବୁ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ଅଧିକାଂଶ ସରକାରୀ କର୍ମଚାରୀଙ୍କ ସମ୍ପତି ପ୍ରାୟ ଆୟଠାରୁ ଢେର ଅଧିକ ହେବ , ଯାହା ଲଗାତାର ଭିଜିଲାନ୍ସର ଚଢାଉରୁ ସ୍ପଷ୍ଟ ହେଉଛି । ତେବେ ଦେଖିବାକୁ ବାକି ରହିଲା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନେ ନିଜ ନିଜର ସମ୍ପତି ତାଲିକା ଦାଖଲ କରୁଛନ୍ତି କି ନାହିଁ ?