ଅବାଧ ନିର୍ବାଚନ ପରିଚାଳନା ପାଇଁ ସିିଇଓଙ୍କୁ ଦାବି ପତ୍ର : ବିଜେଡି

0

ବ୍ୟୁରୋ : ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ ଧମକାଇବା ସହ ଲୋକଙ୍କ ପକେଟରୁ ଟଙ୍କା ଛଡାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଏ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ ବାଢ଼ିଛି ବିଜେଡିର ଏକ ପ୍ରତିନିଧି ଦଳ । ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ଦଳର ନେତ୍ରୀ ଲୋରା ମହାପାତ୍ର, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ପ୍ରମୁଖ ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ବିଜେଡି ଅଭିଯୋଗ କରିଛି ଯେ, ଧାମନଗର ନିର୍ବାଚନମଣ୍ଡଳୀରେ ଥିବା କରଡା ପଂଚାୟତରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବିଜେପି ଜୋରଜବରଦସ୍ତ ଅଟକାଇଛି । ତାଙ୍କୁ ଆକ୍ରମଣ କରିବା ସହ ଜୋର ଜବରଦସ୍ତ ଟଙ୍କା ଛଡ଼ାଇ ନେଇଛନ୍ତି ବିଜେପି ନେତା ଓ କର୍ମୀ । ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ପ୍ରଥମେ ଏକ ଫେକ ଅଡ଼ିଓ ଆଣି ଅଭିଯୋଗ କରିଥିଲେ । ସେ ଅଡ଼ିଓ କେବଳ ବିଜେପି ନେତା ଓ ବିଜେପି ଆଇଟି ସେଲ ଶୁଣିଥିବ । ପରବର୍ତ୍ତୀ ପର୍ୟ୍ୟାୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କଲେ । ତୃଣମୂଳସ୍ତରରେ କାର୍ୟ୍ୟ କରୁଥିବା ବିଜେଡି କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ।

ନିର୍ବାଚନରେ ହାରିବା ଭୟରେ ବିଜେପି ଏଭଳି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି । ସାଧାରଣ ଲୋକଙ୍କୁ ଧମକେଇବା ଆରମ୍ଭ କରିଦେଇଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଉଦେଶ୍ୟମୂଳକ ଭାବେ ବିଜେଡି କର୍ମୀଙ୍କୁ ଉତେଜିତ କରିବା ଲାଗି ଚେଷ୍ଟା କରୁଛି । ବିଜେପିର ଅପରାଧିକ କାର୍ଯ୍ୟକଳାପ ବଢୁଥିବାରୁ ସର୍ଭିଲାନ୍ସ ବଢେଇବାକୁ ବିଜେଡି ଆଜି ପୁନର୍ବାର ଦାବି କରିଛି । କରଡା ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି । ନିର୍ବାଚନ ଜିତିବାକୁ ଜାତୀୟ ଦଳ ଭାବେ ବିଜେପି ନିମ୍ନ ସ୍ତରକୁ ଖସିବା ବିଜେଡି ନିନ୍ଦା କରିଛି । ଅବାଧ ନିର୍ବାଚନ ଲାଗି ସିଇଓ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି ।