ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ବେଲ ଆବେଦନ ନାମଞ୍ଜୁର

0

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କୁ ବେଲ ଦେବାକୁ ମନା କରି ଦେଇଛି ଡୋମିନିକା ହାଇକୋର୍ଟ । ଡୋମିନିକାର ପଡୋଶୀ ରାଷ୍ଟ୍ର ଆଣ୍ଟିଗୁଆ ଓ ବାରବୁଡାର ନାଗରିକତା ନେଇଥିବା ମେହୁଲଙ୍କ ସେଠାରୁ ଅନ୍ତର୍ଦ୍ଧାନ ପରେ ଡୋମିନିକାକୁ ବିନା ଅନୁମତିରେ ପ୍ରବେଶକୁ ନେଇ ତାଙ୍କ ନାମରେ ମାମଲ।। ଦାୟର ହୋଇଛି । ମେହୁଲ ୨୦୧୮ରୁ ଆଣ୍ଟିଗୁଆ ନାଗରିକ ଭାବେ ସେଠାରେ ରହି ଆସୁଥିଲେ ।
ଡୋମିନିକା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରି କହିଛନ୍ତି, ଚୌକସି ଡୋମିନିକାର ନାଗରିକ ନୁହଁନ୍ତି ଓ ତେଣୁ ତାଙ୍କ ଦେଶ ଛାଡିବା ଉପରେ କୋର୍ଟ କୌଣସି ସର୍ତ୍ତ ଲଗାଇ ପାରିବେ ନାହିଁ ବୋଲି ଆଣ୍ଟିଗୁଆ ଗଣମାଧ୍ୟମରୁ ପ୍ରକାଶ । ଡୋମିନିକାର ଏକ ମାଜିଷ୍ଟ୍ରେଟ ତାଙ୍କ ବେଲ ପିଟିସନକୁ ନାକଚ କରି ଦେବା ପରେ ଚୌକସି ହାଇକୋର୍ଟରେ ଆବେଦନ କରିଥିଲେ ।
ଗୀତାଞ୍ଜଳି ଜେମ୍ସ ଓ ଅନ୍ୟ ନାମକରା ହୀରା ବ୍ରାଣ୍ଡର ପ୍ରତିଷ୍ଠାତା ଚୌକସି ପିଏନଜି ବ୍ୟାଙ୍କରୁ ୧୩ହଜାର ୫ଶହ କୋଟିର ଠକାମି କରିଥିବା ପରେ ଦେଶ ଛାଡି ବିଦେଶକୁ ଫେରାର ହୋଇଯାଇଥିଲେ । ୬୨ ବର୍ଷୀୟ ଚୌକ୍ସିଙ୍କ ନାମରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ସେ ଭାରତରୁ ଫେରାର ହେବା ପରେ ୨୦୧୮ରୁ ଆଣ୍ଟିଗୁଆ ଓ ବରବୁଡାର ନାଗରିକତ ଗ୍ରହଣ କରିଥିଲେ ମଧ୍ୟ ଚଳିତ ମେ ୨୩ ତାରିଖରୁ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ତାଙ୍କୁ ଆଣ୍ଟିଗୁଆର ପଡୋଶୀ ରାଷ୍ଟ୍ର ଡୋମିନିକାରୁ ଗିରଫ କରାଯାଇଥିଲା ଉକ୍ତ ରାଷ୍ଟ୍ରରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ । ତେବେ ପରେ ତାଙ୍କ କଥିତ ମହିଳା ବାନ୍ଧବୀ ଅପହରଣ କରିନେଇଥିବା ସେ ଅଭିଯୋଗ କରିଥିଲେ ।
ଚୌକ୍ସିଙ୍କ ଓକିଲ ଅଭିଯୋଗ କରିଛନ୍ତି କି ତାଙ୍କୁ ଆଣ୍ଟିଗୁଆରୁ ପୁଲିସ ଅପହରଣ କରି ଡୋମିନିକାକୁ ଏକ ବୋଟ ଯୋଗେ ନେଇ ଯାଇଥିଲା । ସେହି ପୁଲିସ ଆଣ୍ଟିଗୁଆ ଓ ଭାରତର ହୋଇଥାଇ ପାରନ୍ତି ।