ଲକଡାଉନ ସମୟରେ ଉନ୍ନୟନ କାର୍ୟ୍ୟ ଜାରିରହିବ – ଜ଼ିଲ୍ଲାପାଳ

0

(ହର ପ୍ରସାଦ ବିଷୋଇ / ଗଞାମ) ; ଗଞ୍ଜାମ ଜ଼ିଲ୍ଲାରେ କରୋନା ସ୍ଥିତିରେ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେଇ ଜ଼ିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ୟ୍ୟ ଗୁଡିକ ପୂର୍ଵଭଳି ଚାଲୁ ରଖିବାକୁ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁଷ୍ଠିତ କୋଭିଡ଼ ପରିଚାଳନା ବୈଠକରେ ଜଣାଇଛନ୍ତି ଓ ବୈଠକରେ ଜ଼ିଲ୍ଲାପାଳ କହିଥିଲେ ଯେ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମ ରେ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚାଉଳ ଯୋଗାଇବା ଦିଗରେ ବ୍ୟବସ୍ଥା କରିବାକୁ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ କହିଥିଲେ । ସହରାଞ୍ଚଳ ଗୁଡିକର ପଶୁ ମାନଙ୍କୁ ଖାଦ୍ୟ ଯୋଗାଇବା ର ବ୍ୟବସ୍ଥା କରାଇବା । ରାଜସ୍ବ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ବ୍ୟବସ୍ଥା ସକାଶେ ତହସିଲ ଦ୍ୱାରା “ରାଜସ୍ବ ରଥ” ଜରିଆରେ ଲୋକଙ୍କ ନିକଟରେ ସେବା ଯୋଗାଇବାକୁ ନିର୍ଦେଶ ଦେଇଥିଲେ । ରାତ୍ରି କାଳୀନ ସଫେଇ, ବୃକ୍ଷ ରୋପଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ସହ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ଗୋଷ୍ଟିଙ୍କୁ ସାମିଲ କରି କରୋନା କାର୍ୟ୍ୟ ପରିଚାଳନା କରାଯାଇ ସମସ୍ତ ଅଞ୍ଚଳ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ । ଗ୍ରାମାଞ୍ଚଳ ଗୁଡିକରେ ସୁପର ସ୍ପ୍ରେଡ଼ର ମାନଙ୍କ ପ୍ରତି କଡା ନଜର ରଖନ୍ତୁ । ଏବଂ ସେମାନଙ୍କ ପ୍ରତି କୋଭିଡ ନିୟମ ଉଲଂଘନ ଯୋଗୁଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଓ କୋଭିଡ କମିଟି ବୈଠକ କରିବା ଦ୍ୱାରା ଗ୍ରାମାଞ୍ଚଳ ର ସମସ୍ତ ଅସୁବିଧା ଗୁଡିକ ସହଜରେ ସମାଧାନ ହୋଇପାରିବ, ଏଣୁ ବୈଠକ ସକାଶେ ଗୁରୁତ୍ୱ ଦିଅନ୍ତୁ । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିହାତି ଭାବରେ ୧୦ ଗୋଟି ଶଯ୍ୟା ରେ ଅକ୍ସିଜେନ ସୁବିଧା ଥାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ତେବେ ଯାଇ ଲୋକେ ସାମାନ୍ୟ ଅସୁସ୍ଥତାର ଚିକିତ୍ସା ସକାଶେ ବ୍ରହ୍ମପୁର ଏମକେସିଜି କୁ ଯିବେ ନାହିଁ । ଅତି ଆବଶ୍ୟକ ହେଲେ ସଂକ୍ରମିତ ଲୋକଙ୍କୁ ଡାକ୍ତର ରେଫର କଲେ ଯାଇ ଏମକେସିଜି କୁ ଉଚ୍ଚ ଚିକିତ୍ସା ନିମନ୍ତେ ଆସିବାକୁ ଜିଲ୍ଲାବାସି ଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ରହ୍ମପୁର ଏମକେସିଜିର ଡାକ୍ତର ଗଣ ଙ୍କୁ ନେଇ ଚିକିତ୍ସା ପଦ୍ଧତିକୁ ମାର୍ଜିତ କରିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଗଠିତ କମିଟି ବୈଠକ ଦ୍ୱାରା ଆଲୋଚନା କରିବାକୁ ଜଣାଇଥିଲେ ।
ବ୍ରହ୍ମପୁର ସହରରେ ଟୀକାକରଣ କାର୍ୟ୍ୟକ୍ରମ ର ବ୍ୟବସ୍ଥା ଉତ୍ତମ ମାନର ହୋଇଥିବା ଯୋଗୁଁ ମହାନଗର ନିଗମକୁ ଜନ ସାଧାରଣ ଙ୍କ ଦ୍ୱାରା ପ୍ରଶଂସା କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ ।
ବୈଠକ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ ସିଦ୍ଧଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାଷନ,ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଲିନା କୁମାରୀ ଖେସ, ବ୍ରହ୍ମପୁର ଉନ୍ନୟନ ସଚିବ ସମ୍ବିତ ରାଉତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜ଼ିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।