କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା : ୬ଶହରୁ ୨୦୦କୁ କମିଲା କ୍ଷମତା

ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ

0

କଟକ : ଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା ବିଶେଷଜ୍ଞ ଟିମ୍ର ଯାଂଚ ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ । ଝୁଲା ପୋଲ କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। ଏବେ ଝୋଲାପୋଲରେ ଏକକାଳୀନ ୨୦୦ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ । ଧର୍ମ ମାସ କାର୍ତ୍ତିକ ଅବସରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉ ଥିବାବେଳେ ବ୍ରିଜର କ୍ଷମତା ଅନୁସାରେ ଲୋକଙ୍କୁ ଛଡ଼ା ଯାଉଛି। ଦର୍ଶନ ପାଇଁ କେବଳ ବଡ଼ଓଷା ବ୍ରତଧାରୀମାନେ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସାଧାରଣ ଭକ୍ତ ନଆସିବା ପାଇଁ ନିବେଦନ କରାଯାଇଛି ।
୨୦୦୬ ମସିହାରେ ନିର୍ମିତ ହୋଇଥିଲା ଏହି ଝୁଲା ପୋଲ । ରକ୍ଷଣା ବେକ୍ଷଣା ଅଭାବରୁ ଏହାର କ୍ଷମତା କମାଯାଇଛି । ତେବେ ଦିନକରେ ଝୁଲା ପୋଲରେ ୧୫ରୁ ୨୦ ହଜାର ଲୋକ ଯାତାୟାତ କରୁଥିଲେ। ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ୍‌ କାମ ସରିବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଠଗଡ଼ ଉପଜିଲ୍ଲାପାଳ ନିବେଦନ କରିଛନ୍ତି।

ଗତକାଲି ସଂଧ୍ୟା ୬ଟା ୪୦ ମିନିଟରେ ଝୁଲା ପୋଲଟି ଭୁଶୁଡ଼ି ପଡ଼ିଥିଲା । ଅତ୍ୟଧିକ ଭିଡ଼ ହେବାରୁ ଝୁଲା ପୋଲଟି ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିଲା । ଅଘଟଣ ସମୟରେ ପୋଲ ଉପରେ ୪ଶହରୁ ଅଧିକ ଲୋକ ଥିଲେ। ପୋଲଟି ଭୁଶୁଡିବା ପରେ ଲୋକମାନେ ବ୍ରିଜ୍‌ରେ ଲାଗିଥିବା କେବୁଲକୁ ଧରି ପହଁରିଥିବା ଦେଖିବାକୁ ମିଳିଥିଲା । ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି।

ତେବେ ପ୍ରାୟ ୧୦୦ ବର୍ଷ ତଳର ଏହି ପୋଲ । ୬ ମାସ ବନ୍ଦ ରହିବା ପରେ ଗତ ସପ୍ତାହରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ବ୍ରିଟିଶ ଅମଳର ଏହି ପୋଲର ଲମ୍ବ ୨୩୦ ମିଟର । ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ତତ୍କାଳୀନ ମୋରବୀ ଶାସକ ଏହାକୁ ନିର୍ମାଣ କରିଥିଲେ । ଏହି ବ୍ରିଜଟି ବ୍ରିଟିଶ ଇଞ୍ଜିନିୟରିଂର ଉତ୍କୃଷ୍ଟ ନମୁନା ବୋଲି କୁହାଯାଏ ।