ରାଜ୍ୟସଭାକୁ ମନୋନୀତି ହେବେ କି ଧର୍ମେନ୍ଦ୍ର?

0

ଭୁବନେଶ୍ୱର: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ବ ଦବଦବା ଆଉ ଦଳରେ ନଥିବା ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ଦିଲ୍ଲୀରେ ୭ବର୍ଷ ହେବ ରହିଥିବା ମନ୍ତ୍ରୀ ପଦ ରାତା ରାତି ବଦଳି ଗଲା । ଏବେ ଏମିତି ପଦ ମିଳିଛି ଯାହା ଥାଇ ବି ନ ଥିବା ଭଳି କହିଲେ ଭୁଲ ହେବ ନାହିଁ । କରୋନା ମହାମାରୀ ହେବା କାରଣରୁ ଏବେ ଶିକ୍ଷା ବିଭାଗ ସମ୍ପୁର୍ଣ୍ଣ ଠପ ହୋଇ ରହିଛି । ଏପରି ସମୟରେ ପ୍ରଧାନ ବାବୁଙ୍କୁ ଯେଉଁ ମନ୍ତ୍ରୀ ପଦ ମିଳିଛି ସେଠାରେ କରିବାକୁ କିଛି ନାହିଁ ।
ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତା ଥିବା ଥାବରଚନ୍ଦ୍ର ଗେହଲଟଙ୍କୁ ନିକଟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବା ପରେ ବର୍ତ୍ତମାନ ରାଜ୍ୟସଭାରେ ବିଜେପି ନେତା ପଦ ଖାଲି ରହିଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟସଭାର ପରବର୍ତ୍ତୀ ବିଜେପି ସଂସଦୀୟ ଦଳର ନେତା ଧର୍ମେନ୍ଦ୍ର ହୋଇପାରନ୍ତି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟସଭାର ନେତା ରୂପେ ମନୋନୀତ କରାଯିବାର ଦୃଷ୍ଟାନ୍ତ ରହିଛି । ତେଣୁ ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ରୁ ଆରମ୍ଭ ହେଉଥିବାରୁ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ହେଲେ କେବଳ ଧର୍ମେନ୍ଦ୍ର ନୁହନ୍ତି ଗୃହର ନେତା ଦୌଡ଼ରେ ବିଜେପି ସଭାପତି ଜେ.ପି.ନଡ୍ଡା, ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ ଏବଂ ମୁକତାର ଅବାସ ନକୱୀ ଥିବା ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ନିର୍ମଳା ସୀତାରମଣ, ଜେପି ନଡ୍ଡା, ପୀୟୂଷ ଗୋୟଲଙ୍କ ପରି ୬ ଜଣ ବରିଷ୍ଠ ନେତା ଥିବା ବେଳେ ପ୍ରଧାନଙ୍କୁ ଯେ ରାଜ୍ୟ ସଭାକୁ ପଠାଯିବ, ଏହା କୁ ନେଇ ଦୃଢତାର ସହ କହିବା ଅସମ୍ଭବ ।