ରାଉରକେଲା: ନା ଏମାନେ କହିପାରନ୍ତି ନା କଥା ଶୁଣିପାରନ୍ତି । ନ ଅନ୍ୟ ପିଲାଙ୍କ ଭଳି ଖେଳି ପାରନ୍ତି। ହେଲେ ଅନ୍ୟ ପିଲାମାନଙ୍କ ଠାରୁ ଏମାନେ କୌଣସି ଗୁଣରେ ବି କମ୍ ନୁହଁନ୍ତି ।ଏମାନଙ୍କ ପାଖରେ ଅଛି ସାମର୍ଥ୍ୟ, ଦକ୍ଷତା ଆଉ କିଛି କରିଦେଖାଇବାର ଉତ୍ସାହ । ଏମାନେ ହେଉଛନ୍ତି ଇସ୍ପାତ ନଗରୀ ରାଉରକେଲାରେ ଥିବା ରାଉରକେଲା ସ୍କୁଲ ଫର ଦି ଡିଫ୍ ର ଛାତ୍ରଛାତ୍ରୀ ।
ପାଠ ପଢାରେ ଏମାନେ ଯେତିକି ଆଗୁଆ ଅନ୍ୟ କାମରେ ବି ସେତିକି ଧୁରନ୍ଧର । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଏହି ପିଲାମାନେ ତିଆରି କରିଛନ୍ତି ବିଭିନ୍ନ ପ୍ରକାରର ରଙ୍ଗବିରଙ୍ଗର ରାକ୍ଷୀ । ଭାଇ-ଭଉଣୀର ସମ୍ପର୍କର ପର୍ବ ଗହ୍ମାପୂର୍ଣ୍ଣମୀରେ ଏଇ ରାକ୍ଷୀ କେତେ ଯେ ଗୁରୁତ୍ୱ ରଖେ ତାହା ଏମାନେ ବୁଝିପାରିଛନ୍ତି ।
ମନଧ୍ୟାନ ଦେଇ ଗଢି ଦେଇଛନ୍ତି ଗୋଟେ ପରେ ଗୋଟେ ମନମତାଣିଆ ରାକ୍ଷୀ । କେବଳ ରାକ୍ଷୀ ନୁହେଁ ବିଭିନ୍ନ ପର୍ବ ପର୍ବ ପର୍ବାଣୀରେ ସାଜସଜ୍ଜାର ସାମଗ୍ରୀ ତିଆରି କରିବାରେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବେଶ୍ ଉତ୍ସାହୀ । ବିଭିନ୍ନ ଘର ସଜା ସାମଗ୍ରୀ ତିଆରି କରିବାକୁ ଏମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଶିକ୍ଷା ।
ଯାହାଦ୍ୱାରା ପାଠ ପଢିବା ସହ ଏସବୁ କୁଟୀର ଶିଳ୍କୁ ଆଧାର କରି ମଧ୍ୟ ଏମାନେ ଭବିଷ୍ୟତରେ ସ୍ୱାବଲମ୍ବୀ ହୋଇପାରିବେ । ପ୍ରତିବର୍ଷ ଏହି ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କ ରାକ୍ଷୀ ବଜାରରେ ଭଲ ମୂଲ୍ୟରେ ବିକ୍ରି ହେଉଥିବାବେଳେ ଚଳିତ ବର୍ଷ ମଧ୍ୟ ଭଲ ଦି ପଇସା ରୋଜଗାରର ମାଧ୍ୟମ ହେବ ବୋଲି ଆଶା କରାଯାଉଛି ।