ବ୍ୟୁରୋ:ଦେଶରେ ବଢୁଛି ଡିଜିଟାଲ ପେମେଣ୍ଟ କାରବାର । ନିର୍ଭର କରୁଛନ୍ତି କୋଟି କୋଟି ଭାରତୀୟ । ବର୍ତ୍ତମାନ ସମୟରେ ଅର୍ଥ କାରବାର ପାଇଁ ଆଉ ବ୍ୟାଙ୍କ କିମ୍ବା ଏଟିଏମ୍ କୁ ଯାଉନାହାନ୍ତି । ସିଧା ଡିଜିଟାଲ ପେମେଣ୍ଟ କରୁଛନ୍ତି । ବ୍ୟବହାରକାରୀଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନାହାନ୍ତି ବରଂ ବଡ ବଡ କମ୍ପାନୀ ଠାରୁ ଆରମ୍ଭ କରି ଶିଳ୍ପପତିମାନେ ବି ଏହା ଉପରେ ନିର୍ଭରଶୀଳ । ସେହି କ୍ଷେତ୍ରରେ ଭାରତରେ କ୍ରେଡିଟି ଓ ଡେବିଟି କାର୍ଡ ସଂଖ୍ୟା ୧୦୦ କୋଟି ଟପିଛି । ତେବେ ୟୁପିଆଇ ମାଧ୍ୟମରେ ମାସକୁ ୬୦୦ କୋଟିରୁ ଅଧିକ କାରବାର ହେଉଥିବା ଜଣାପଡିଛି ।
ୱାଲଡଲାଇନ ଇଣ୍ଡିଆ ଡିଜିଟାଲ ପେମେଣ୍ଟ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଉଲେଖ୍ୟ ଅଛି ଦେଶରେ କ୍ରେଡିଟି କାର୍ଡ ବ୍ୟବହାର କ୍ଷେତ୍ରରେ ୨୦୨୧ ଜୁନରେ ୬୨.୭୧ ନିୟୁତ ଥିବା ବେଳେ ୨୦୨୨ ଜୁନ୍ ରେ ଏହା ୭୮.୭ ନିୟୁତ ରେ ପହଚିଁଛି । ସେହିଭଳି ଡେବିଟି କାର୍ଡ ସଂଖ୍ୟା ୨୦୨୧ ଜୁନ ସୁଦ୍ଧା ୯୦୬ ନିୟୁତରେ ପହଚିଁଥିବା ବେଳେ ୨୦୨୨ ଜୁନ୍ ସୁଦ୍ଧା ୯୨୧.୭୫ ନିୟୁତରେ ପହଚିଁଛି । ସେହିଭଳି ୟୁପିଆଇ ମାଧ୍ୟମରେ ଦେଶରେ ୧୭.୪ ବିଲିୟନ ତଥା ୩୦.୪ ଲକ୍ଷ କୋଟି ଟଙ୍କା କାରବାର ହୋଇଛି । କ୍ରେଡିଟି କାର୍ଡ ଓ ଡେବିଟ କାର୍ଡ କାରବାରରେ ସଂଖ୍ୟା ଦୃଷ୍ଟିରୁ ୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମୂଲ୍ୟ ଦୃଷ୍ଟିରୁ ୧୪ ପ୍ରତିଶତ ବୃଦ୍ଧି ପାଇଛି । ବଡ ବଡ ଅର୍ଥ କାରବାରରେ ଡେବିଟି କାର୍ଡ ଓ ୟୁପିଆଇ ଲୋକଙ୍କର ପ୍ରିୟ ମାଧ୍ୟମ ସାଜିପାରିଛି । ଚଳିତ ଆର୍ଥିକ ବର୍ଷ ର ଦ୍ୱିତୀୟ ତ୍ରୟମାସର ସଂଖ୍ୟା ଦୃଷ୍ଟିରୁ ୧୧୮ ପ୍ରତିଶତ ଏବଂ ମୂଲ୍ୟ ଦୃଷ୍ଟିରୁ ୯୮ ପ୍ରତିଶତ ବୃଦ୍ଧି ପାଇଛି । ଏକାଧିକ କାରବାର ଫୋନ ପେ,ଗୁଗୁଲ ପେ,ପେଟିଏମ୍ ଭଳି ବିଭିନ୍ନ ଅନଲାଇନ ସଂସ୍ଥା ମାଧ୍ୟମରେ ହିଁ ହୋଇଛି ।