ସୁବର୍ଣ୍ଣପୁର: ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଦେଶ୍ୟରେ ଗୁରୁବାର ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରାକରଣ ଟାକ୍ସ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ବାହାରେ ଥିବା ଜିଲ୍ଲାର ସମସ୍ତ କିଶୋରୀଙ୍କୁ ପୁନର୍ବାର ସ୍କୁଲକୁ ଫେରାଇ ଆଣି ଶିକ୍ଷା ପ୍ରଦାନ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାର କୌଣସି ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହୋଇ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ଯଦି କୌଣସି ଝିଅ ନିର୍ଦ୍ଧିଷ୍ଟ ବୟସ ପୂର୍ବରୁ ବାହାହେଇ କିମ୍ବା ଅନ୍ୟ କୌଣସି କାରଣରୁ ପାଠ ଛାଡିଛନ୍ତି ଅଥବା ଗାଁର ବାହାରକୁ ଚାଲିଯାଇଛନ୍ତି ତାଙ୍କର ସମସ୍ତ ତଥ୍ୟ ଖୋଜି ବାହାର କରି ସେମାନଙ୍କୁ ପୁନଃ ସ୍କୁଲରେ ପଢିବା ନିମନ୍ତେ ଉତ୍ସାହିତ କରିବା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗତ ସମୀକ୍ଷା ବୈଠକ ତଥ୍ୟ ଅନୁଯାୟୀ ସମୁଦାୟ ଡ୍ରପ ଆଉଟ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୨୭୦୧ ରହିଥିବାବେଳେ ତନ୍ମଧ୍ୟରୁ ଅଦ୍ୟାବଧି ୧୫୨୮ ଜଣ ବିଭିନ୍ନ ସ୍କୁଲ ଓ ଆଇଟିଆଇରେ ନାମ ଲେଖାଇ ଶିକ୍ଷା ଗ୍ରହଣ ପୂର୍ବକ ପୁନଃ ଶିକ୍ଷା କ୍ଷେତ୍ରକୁ ପ୍ରତ୍ୟାବର୍ତନ କରିଛନ୍ତି। ଏବେ ସ୍କୁଲ ବାହାରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୭୩ ରହିଥିବା ସୂଚନା ମିଳିଛି। ଏହି କାର୍ୟ୍ୟକୁ ଅଧିକ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ବିଇଓ ୨୦୨୦-୨୧, ୨୦୨୧-୨୨ରେ ବିଦ୍ୟାଳୟ ଆସୁନଥିବା ୧୫ ରୁ ୧୮ ବର୍ଷର ଝିଅଙ୍କ ତାଲିକା ଅନୁଯାୟୀ ସମସ୍ତେ ଯେପରି ପୁନଃ ଶିକ୍ଷା କ୍ଷେତ୍ରକୁ ପ୍ରତ୍ୟାବର୍ତନ କରିବେ ସେଥିପ୍ରତି ଆନ୍ତରିକ ଯତ୍ନବାନ ହେବାକୁ ନିର୍ଦେଶ ଦେଇଛନ୍ତି।
ଯଦି କୌଣସି ବିଦ୍ୟାଳୟ ବାହାରେ ଥିବା କିଶୋରୀର ବାହାଘର ହୁଏ କିମ୍ବା କିଶୋରୀ ମାତୃତ୍ୱ ହୁଏ ଅଥବା ଅଧାରୁ ପାଠ ଛାଡିଥାଏ ତେବେ ସମ୍ପୃକ୍ତ ଅଞ୍ଚଳରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ସିଆରସିସିସି ଡିପିଓ ସୁପରଭାଇଜର ସେମାନଙ୍କ ଘରକୁ ଯାଇ ପରାମର୍ଶ କରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ପ୍ରଯତ୍ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଇଓ ତଥା ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଆନ୍ତରିକ ଉଦ୍ୟମ ହେତୁ ସ୍କୁଲ ବାହାରେ ଥିବା ଛାତ୍ରଛାତ୍ରୀ ତଥା ବାହାଘର ପରେ ମଧ୍ୟ ପୁନର୍ବାର ବିଦ୍ୟାଳୟରେ ପାଠପଢା ଜାରି ରଖିଛନ୍ତି ଯାହା ପ୍ରଶଂସନୀୟ ବୋଲି ଜିଲ୍ଲପାଳ କହିଛନ୍ତି। ଏହି କାର୍ୟ୍ୟକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଗମ୍ଭୀରତାର ସହ ନେଇ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଛନ୍ତି।
ବୈଠକରେ ଆଇଟିଆଇ ପ୍ରିନ୍ସିପାଲ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ସମ୍ୱନ୍ଧରେ ବିଷଦ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନଏଡ଼ ରାକେଶ ପ୍ରଧାନ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବୈଠକରେ ବିଭିନ୍ନ ବ୍ଲକସ୍ତରରେ ଡ୍ରପ ଆଉଟ ରହିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଉପସ୍ଥିତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିବା ସହ ସମସ୍ତେ ମିଳିତ ଭାବେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଡିଏସଡବ୍ଲୁ ଓ ଗୌର ମଣି ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଳା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା, ସମସ୍ତ ସିଆରସିସି, ସୋନପୁର ଆଇଟିଆଇ ଅଧ୍ୟକ୍ଷ,ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ।