ଜିଲ୍ଲାସ୍ତରୀୟ ବିଶ୍ଵ ହୃତପିଣ୍ଡ ଦିବସ ପାଳିତ

0

ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ ‘ବିଶ୍ଵ ହୃତପିଣ୍ଡ ଦିବସ’ ପାଳିତ ହୋଇଯାଇଛି। ଏଥିରେ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢୀ ପ୍ରମୁଖ ଯୋଗଦେଇ ସୁସ୍ଥ ହୃଦୟ ପାଇଁ ଉତ୍ତମ ଜୀବନଶେଳୀ ଆପଣାଇବା ଉଚିତ ବୋଲି ଉଲ୍ଲେଖ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ଜିତାରାମ ବିଦ୍ ବକ୍ତା ଭାବେ ଯୋଗଦେଇ ସୁସ୍ଥ ହୃଦୟ ପାଇଁ ସନ୍ତୁଳିତ ଆହାର, ବ୍ୟାୟାମ, ଟୋବାକୋ ତ୍ୟାଗ, ଯୋଗ, ସନ୍ତୁଳିତ ରକ୍ତଚାପ ଏବଂ ଉତ୍ତମ ନିଦ୍ରାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଏହି ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟ ସମତି ତରଫରୁ ନିଆଯାଇଥିବା ବିଭିନ୍ନ ସଚେତନଧର୍ମୀ ପଦକ୍ଷେପ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଣସଂକ୍ରାମକ ରୋଗ ସହକାରୀ ପରିଚାଳକ ଗୀତାଞ୍ଜଳି ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲାସ୍ତରରେ ଅନ୍ୟମାନଙ୍କ ମଧ୍ୟରେ ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ଡିଡିଏମ୍ ପ୍ରଦୀପ କୁମାର ସାହୁ, ଓ ଆଶା ମେନେଜର ତରଣୀସେନ ପ୍ରଧାନ ପ୍ରମୂଖ ଯୋଗଦେଇଥିବା ବେଳେ ଭାର୍ଚୁଅଲ ମୋଡରେ ବିଭିନ୍ନ ବ୍ଲକର ସ୍ଵାସ୍ଥ୍ୟ ଅଧିକାରୀ, ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ, ସ୍ଵାସ୍ଥ୍ୟ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ।