ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

ଦୁଇଥର ନୋଟିସ ସତ୍ତେ୍ୱ ହାଜର ହୋଇନଥିଲେ

0

ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା କରିଥିଲା। ଯାହାକୁ ନେଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ସଂପ୍ରତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ରବିବାର ସକାଳେ ଚଢାଉ କରାଯାଇଥିଲା। ମୁମ୍ବାଇର ପତ୍ରାଚାଲ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ସଞ୍ଜୟଙ୍କୁ ପୂର୍ବରୁ ଦୁଇଥର ନୋଟିସ କରାଯାଇଥିଲା। ନୋଟିସ ସତ୍ତେ୍ୱ ସଞ୍ଜୟ ହାଜର ହୋଇନଥିଲେ।
ରବିବାର ସକାଳେ ଇଡି ପକ୍ଷରୁ ସଞ୍ଜୟଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢାଉ କରାଯାଇଥିଲା। ଏଥିସହିତ ଶ୍ରୀ ରାଉତଙ୍କୁ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା। ଇଡି ନିଜର ଟିମ୍ ସହିତ ରବିବାର ସକାଳ ୭ଟା ସମୟରେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିଥିଲେ। ପତରା ଚାଲ ଜମି ଦୁର୍ନୀତି ମାମଲାରେ ଶ୍ରୀ ରାଉତଙ୍କୁ ପଚରାଉଚୁରା ଜାରି ରଖିଥିଲା। ଶ୍ରୀ ରାଉତ ଜୁଲାଇ ୧ ତାରିଖରେ ନିଜର ମତ ଲିଖିତ ଆକାରରେ ଇଡି ପାଖରେ ଦାଖଲ କରିଥିଲେ। ତଥାପି ଶ୍ରୀ ରାଉତଙ୍କୁ ୧୦ ଘଣ୍ଟା ଜେରା କରାଯାଇଥିଲା। ପୂର୍ବରୁ ଇଡି ପକ୍ଷରୁ ୨୦ ଜୁଲାଇ ଓ ୨୭ ଜୁଲାଇରେ ଇଡି ପକ୍ଷରୁ ନୋଟିସ କରାଯାଇଥିଲା। ଶ୍ରୀ ରାଉତଙ୍କ କହିବା ମୁତାବକ ସଂସଦର ମୌସୁମୀ ଅଧିବେଶନ ଚାଲୁଥିବାରୁ ସେ ହାଜର ହୋଇପାରିନଥିଲେ। ତେବେ ସେ ଅଗଷ୍ଟ ୭ ତାରିଖରେ ହାଜର ହେବେ ବୋଲି ଇଡିକୁ ଜଣାଇଥିଲେ।
ସୂଚନା ଅନୁସାରେ ପତ୍ରାଚାଲର ୬୭୨ ପରିବାରର ପୁନରୁଦ୍ଧାର ପାଇଁ ସୋସାଇଟି, ଏମଏଚଏଡିଏ ଏବଂ ଗୁରୁ ଆଶିଷ କଷ୍ଟ୍ରକସନ କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗୁରୁ ଆଶିଷ କମ୍ପାନୀର ନିର୍ଦ୍ଦେଶକମାନେ ହେଲେ ରାକେଶ ୱାଡୱାନ୍, ସାରଙ୍ଗ ୱାଡୱାନ୍ ଏବଂ ଏଚଡିଆଇଏଲର ପ୍ରବୀଣ ରାଉତ ବୋଲି ଜଣାପଡିଛି। କମ୍ପାନୀ ଏମଏଚଏଡିଏକୁ ବିଭ୍ରାନ୍ତ କରି ପ୍ରଥମେ ୯ଟି ବିଲଡରକୁ ଏଫଏସଆଇ ବିକ୍ରୟ କରି ୯୦୧ କୋଟି ଜମା କରିଥିଲା, ତା’ପରେ ମିଆଡୋ ନାମକ ଏକ ନୂତନ ପ୍ରକଳ୍ପ ଆରମ୍ଭ କରି ଫ୍ଲାଟ ବୁକିଂ ନାମରେ ୧୩୮ କୋଟି ଟଙ୍କା ସଂଗ୍ରହ କରିଥିବାର ଅଭିଯୋଗ ହୋଇଛି। କିନ୍ତୁ ୬୭୨ ମୂଳ ଭିକାରୀଙ୍କୁ ସେମାନଙ୍କ ଘର ଦିଆଯାଇନଥିଲା । ଏହିପରି ଭାବରେ କମ୍ପାନୀ ୧୦୩୯.୭୯ କୋଟି ରୋଜଗାର କରିଥିଲା।
ଇଡି ଅଭିଯୋଗ କରିଛି ଯେ ପରେ ଏଚଡିଆଇଏଲ ଗୁରୁ ଆଶିଷ କମ୍ପାନୀର ନିର୍ଦ୍ଦେଶକ ପ୍ରବୀଣ ରାଉତଙ୍କୁ ୧୦୦ କୋଟି ଟଙ୍କା ଦେଇଥିଲା, ସେଥିମଧ୍ୟରୁ ପ୍ରବୀଣ ରାଉତ ସଞ୍ଜୟ ରାଉତଙ୍କ ପତ୍ନୀ ଭାରଶା ରାଉତଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, ଯାହା ଅର୍ଥ ହେରଫେରର ଏକ ଅଂଶ। ଇଡିର ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ଶିବସେନା କର୍ମୀମାନେ ଦଳର ନେତା ସଞ୍ଜୟ ରାଉତଙ୍କ ବାସଭବନ ବାହାରେ ଏକାଠି ହୋଇଛନ୍ତି।