ମୁମ୍ବାଇ: ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି । ଏକନାଥ ସିନ୍ଦେଙ୍କ ନେତୃତ୍ବଧୀନ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଦିନକୁ ଦିନ କଡ଼ା ମନୋଭାବ ପୋଷଣ କରୁଛି । ଏପରିକି ବିଦ୍ରୋହୀ ବିଧାୟକ ଗୋଷ୍ଠୀ ନିଜର ଏକ ନାମ ମଧ୍ୟ ରଖିଛନ୍ତି । ବିଦ୍ରୋହୀ ବିଧାୟକ ସିନ୍ଦେ କ୍ୟାମ୍ପର ନାମ ‘ଶିବସେନା- ବାଲାସାହେବ’ ରଖିଛନ୍ତି। ବିଦ୍ରୋହୀ ନେତା ଦୀପକ କେସରକର ନିଜେ କିଛି ଘରୋଇ ଚ୍ୟାନେଲ ସହ ବାର୍ତ୍ତାଳାପରେ ଏହି ସୂଚନା ଦେଇଛନ୍ତି। ଶିବସେନାର ନିର୍ବାଚନ ପ୍ରତୀକ ଛଡ଼ାଇ ଆଣିବା ପାଇଁ ସିନ୍ଦେ କ୍ୟାମ୍ପରେ ପ୍ରସ୍ତୁତି ଚାଲିଥିବା ଖବର ମଧ୍ୟ ରହିଛି।
ଅନ୍ୟପକ୍ଷେ, ସିନ୍ଦେ ଗୋଷ୍ଠୀର ଏପରି ନାମକରଣକୁ ଶିବସେନା ବିରୋଧ କରିଛି । ଉଦ୍ଧବ ଠାକରେଙ୍କ ସମର୍ଥକମାନେ କହିଛନ୍ତି ଯେ ବାଲାସାହେବ ଠାକରେଙ୍କ ନାମ ନେବାକୁ ଏକନାଥ ସିନ୍ଦେଙ୍କର ଅଧିକାର ନାହିଁ। ୨୦୧୯ରେ ଏନ୍ସିପି ବିଜେପି ସହ ମେଣ୍ଟ କରିଥିଲା ଏବଂ ଏନ୍ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ବିଜେପି ଏନ୍ସିପି ବିଧାୟକମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିଥିଲା, ଯେଉଁଥିରେ ପାୱାର ହସ୍ତକ୍ଷେପ କରି ୩ ଦିନରେ ସମାଧାନ ବାହାର କରିଥିଲେ । କିନ୍ତୁ ଏଥରକ ନିଜ ସରକାର ବଞ୍ଚାଇବାକୁ ସେ କ’ଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏହା ବଡ଼ ପ୍ରଶ୍ନ ।
ଉଦ୍ଧବ ଠାକ୍ରେଙ୍କୁ ଦୁର୍ବଳ କରିବାର ଖେଳ ରାଜ୍ୟସଭା ନିର୍ବାଚନରୁ ଆରମ୍ଭ ହେଲା । ପ୍ରଥମେ ବିଜେପିକୁ ରାଜ୍ୟସଭା ନିର୍ବାଚନରେ ସଫଳତା ମିଳିଲା, ଯେଉଁଥିରେ ଶିବସେନାର ପ୍ରାର୍ଥୀ ହାରିଗଲେ । ତା’ ପରେ ବିଧାନ ପରିଷଦ ନିର୍ବାଚନରେ ଶିବସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଉଭୟ ନିର୍ବାଚନରେ କ୍ରସ୍ ଭୋଟିଂ କରାଯାଇଥିବା କୁହାଗଲା ।ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଡାକ୍ତରୀ ସ୍ୱାସ୍ଥ୍ୟ ଶିବିରର ବୋର୍ଡ଼ରେ ଶିବ ସୈନିକମାନେ କାଳି ବୋଳି ଦେଇଛନ୍ତି। ଶିବସେନା କର୍ମୀମାନେ ପୁଣେରେ ଉଭୟଙ୍କ ଫଟୋରେ ବି କାଳି ବୋଳି ଦେଇଛନ୍ତି। ଓସମାନାବାଦରେ ଏକନାଥ ସିନ୍ଦେ ଗୋଷ୍ଠୀର ଜଣେ ବିଧାୟକଙ୍କ କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଶିବସେନା ଏବଂ ଔରଙ୍ଗାବାଦରେ ମହାବିକାଶ ଅଘାଡି ମନ୍ତ୍ରୀଙ୍କ ପରେ ବିଧାୟକ ସନ୍ଦୀପନ ଭୁମେରଙ୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ମୁମ୍ବାଇରେ ୧୪୪ ଧାର ଜାରି କରାଯାଇଛି ।