(ଢେଙ୍କାନାଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ ଢେଙ୍କାନାଳ ବନଖଣ୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ରାଗରେ ଜଣେ ବୃଦ୍ଧଙ୍କୁ କଚାଡ଼ି ଦେଇଛି । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ହିନ୍ଦୋଳ ବନାଞ୍ଚଳର ବମ୍ପା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତାହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଛି ।
ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ବୃଦ୍ଧ ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସିବାବେଳକୁ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି । ହିନ୍ଦୋଳ ବନ କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।