ଭୁବନେଶ୍ୱର : ଠକେଇ ଅଭିଯୋଗରେ ଫସିଲେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ । ଅର୍ଦ୍ଧେନ୍ଦୁଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ତେବେ EOWରେ ଅଭିଯୋଗ କରିଛନ୍ତି ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏବଂ ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ , ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଯୋଗାଯୋଗ କରିଥିଲେ ଅର୍ଦ୍ଧେନ୍ଦୁ ଦାଶ । ଆଉ ପରେ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା କେବଳ ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ତେବେ ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ ।
ଏହା ପରେ ୨୦ ମାସ ବିତିବା ପରେ ବାଧ୍ୟ ହୋଇ ଗଗନଦୀପ EOWର ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ଦୁଇଥର EOW ନୋଟିସ କରିଥିଲେ ବି ହାଜର ହୋଇ ନ ଥିଲେ ଅର୍ଦ୍ଧେନ୍ଦୁ । ଯାହାକୁ ନେଇ ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।