ନୂଆଦିଲ୍ଲୀ : ମହିଳାଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଗର୍ଭପାତ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏହି ରାୟ । ମହିଳାମାନଙ୍କର ରହିଛି ଗର୍ଭପାତ ଅଧିକାର। ବିବାହିତ କିମ୍ବା ଅବିବାହିତ ମହିଳା ମଧ୍ୟରେ ବାଛବିଚାର କରିବା ଅସାମ୍ବିଧାନିକ । ଏଣୁ ସବୁ ମହିଳା ନିରାପଦ ଓ ବୈଧ ପ୍ରକ୍ରିୟାରେ ଗର୍ଭପାତ କରିପାରିବେ । ଭାରତର ସମସ୍ତ ମହିଳାମାନଙ୍କୁ ନିରାପଦ ତଥା ଆଇନଗତ ଗର୍ଭପାତ କରିବାର ଅଧିକାର ଦିଆଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ଗର୍ଭଧାରଣ ଆଇନର ମେଡିକାଲ ଟର୍ମିନେସନ୍ ଆକ୍ଟକୁ ସଂଶୋଧନ କରି ସୁପ୍ରିମକୋର୍ଟ କହିଛନ୍ତି, ଜଣେ ବିବାହିତ ମହିଳାଙ୍କ ପରି ଜଣେ ଅବିବାହିତା ମହିଳାଙ୍କର ମଧ୍ୟ ଗର୍ଭପାତ କରିବାର ଅଧିକାର ରହିଛି ।
ଗର୍ଭପାତ ପାଇଁ (ଏମଟିପି) ଆଇନ ଆଧାରରେ ସ୍ୱାମୀଙ୍କ ଦ୍ୱାରା ଜୋର ଜବରଦସ୍ତ ଯୌନ ସଂପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ବୋଲି କୋର୍ଟ ମଧ୍ୟ କହିଛନ୍ତି । ଏମଟିପି ଆଇନ ଆଧାରରେ ବିବାହିତ କିମ୍ବା ଅବିବାହିତ ମହିଳାଙ୍କ ମଧ୍ୟରେ ସମ୍ବିଧାନ ପ୍ରାଚୀର ହୋଇ ଠିଆ ହୋଇପାରିବ ନାହିଁ । ଏହି କ୍ରମରେ ଜଣେ ମହିଳା ଗର୍ଭଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇ ପାରିବେ । ଗର୍ଭଧାରଣ ନିୟମର ମେଡିକାଲ ଟର୍ମିନେସନ ନିୟମ 3-Bର ବିସ୍ତାର କରାଯାଇଛି । ଏହି ଅବସରରେ ସୁପ୍ରିମକୋର୍ଟ ଅସୁରକ୍ଷିତ ଗର୍ଭପାତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଏକ ମାମଲାର ଶୁଣାଣି କରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି କି ଜଣେ ବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର ଦେବା ଓ ଜଣେ ଅବିବାହିତ ମହିଳାଙ୍କୁ ଏଥିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏଭଳି ହେଲେ ଏହା ଅନୁଛେଦ ୧୪ କ୍ରମରେ ସମାନତା ଅଧିକାରର ଉଲଙ୍ଘନ । ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ ।
ଜଣେ ୨୫ ବର୍ଷିୟା ଅବିବାହିତ ମହିଳା ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ନେଇ କୋର୍ଟଙ୍କ ଅନୁମତି ମାଗିଥିଲେ । ପ୍ରଥମେ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ମହିଳା ଜଣଙ୍କ ଉର୍ଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ ।